ଟାଉନ ହାଇସ୍କୁଲରେ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର : ବଦଳି ହୋଇ ଅନ୍ୟତ୍ର ଯାଉଥିବା ଟାଉନ ହାଇସ୍କୁଲ ଶିକ୍ଷୟିତ୍ରୀ ନମିତା ମହାପାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁମତି ରାଉତ ଅଧ୍ୟକ୍ଷତା କରିଥିଲେ । ଏସଏମସି ସଭାପତି ପ୍ରଦୀପ ଖୁଣ୍ଟିଆ, ଆଲୁମିନି ସଭାପତି ସୁବ୍ରତ କରଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେଏଥିରେ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।
ଭାରପ୍ରାପ୍ତ ଶିକ୍ଷୟିତ୍ରୀ ଭାବେ ଥାଇ ମଧ୍ୟ ସେ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସମନ୍ୱୟ ରଖି ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନ ପାଇଁ ସର୍ବାଦା ଚେଷ୍ଟା କରୁଥିଲେ ବୋଲି ସମସ୍ତେ ମତ ଦେଇଥିଲେ । ସମ୍ବର୍ଦ୍ଧିତ ଅବସରରେ ଶ୍ରୀମତୀ ମହାପାତ୍ର ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଶିକ୍ଷକ ଅକ୍ଷୟ କୁମାର ପାତ୍ର ଏହି ସମ୍ବର୍ଦ୍ଧନା ସଭାରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଦାମୋଦର ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ମହାପାତ୍ର ପଦୋନ୍ନତି ପାଇ ଏଠାରୁ ବଦଳି ସହ ଭୀମପୁର ସତ୍ୟନାରାୟଣ ଉଚ୍ଚ ବିଦ୍ୟାପୀଠକୁ ଯାଉଛନ୍ତି । ସେଠାରେ ସେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
