ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ତଥା ଡାକ୍ତର ଓ ନର୍ସମାନଙ୍କ ରୋଗୀସେବା ଅବହେଳା ବିରୋଧରେ ଧାରଣା
ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀର ମୋହନ ମେଡିକାଲ କଲେଜ ହସପିଟାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ତଥା ଡାକ୍ତର ଓ ନର୍ସମାନଙ୍କ ରୋଗୀସେବା ଅବହେଳା ବିରୋଧରେ ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦିଆଯାଇଛି । ବିଭିନ୍ନ ଦାବି ଉପସ୍ଥାପନା କରାଯିବା ସହ ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବା ନେଇ ଆନ୍ଦୋଳନକାରୀମାନେ ଚେତବାନୀ ମଧ୍ୟ ଦେଇଛନ୍ତି ।
ମେଡିକାଲ କଲେଜ ସ୍ଥାପନ ପରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ନେଇ ଜନସାଧାରଣଙ୍କ ଆଶା ଆକାଂକ୍ଷା ଧୂଳିସାତ୍ ହେବାରେ ଲାଗିଛି । ବହୁ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ପରିବାର ଡାକ୍ତର ଓ ନର୍ସମାନଙ୍କ ଲାଞ୍ଛନାର ଶୀକାର ହେଉଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ ରୋଗୀ ଓ ସମ୍ପର୍କୀୟଙ୍କ ପ୍ରତି ଡାକ୍ତର ଓ ନର୍ସଙ୍କ ଦୁର୍ବ୍ୟବହାର ବଢ଼ି ଚାଲିଛି । ଏଥିପ୍ରତି ହସ୍ପିଟାଲ କତ୍ତୃପକ୍ଷ, ଜିଲା ପ୍ରଶାସନ ଅଥବା ନିର୍ବାଚିତ ଲୋକପ୍ରତିନିଧିମାନେ ଦୃଷ୍ଟିପାତ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ନିକଟ ଅତୀତରେ ଲଙ୍ଗଳେଶ୍ୱରରୁ ଆସିଥିବା ନିଶିକାନ୍ତ ନାଥ ସଠିକ୍ ଢଙ୍ଗରେ ମାସ୍କ ପିନ୍ଧି ନଥିବାରୁ ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା ପରିବର୍ତ୍ତେ ଡାକ୍ତର ଗାଲିଗୁଲଜ ସହ ପ୍ରେସକ୍ରିପସନ ଫୋପାଡ଼ି ଦେବା ଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ସେହିଭଳି ମେଡିସିନ ବିଭାଗରେ ଡାକ୍ତର ଓ ନର୍ସମାନଙ୍କ ଅବହେଳା ଯୋଗୁଁ ଭୋଗରାଇର ମହିଳା ତରୁଲତା ଦାସଙ୍କ ଅକାଳରେ ମୃତ୍ୟୁ ଭଳି ଘଟଣା ମେଡିକାଲରେ ସ୍ୱାସ୍ଥ୍ୟସେବାର କରୁଣ ସ୍ଥିତିକୁ ପ୍ରଦର୍ଶିତ କରୁଛି । ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟାନେଇ ଫକୀର ମୋହନ ମେଡିକାଲ କଲେଜକୁ ଆସୁଥିବା ରୋଗୀଙ୍କୁ ଅଯଥାରେ କଟକର ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରିବା ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଛି । ମେଡିକାଲର ବିଭିନ୍ନ ବିଭାଗରେ ପୂର୍ବରୁ ଡାକ୍ତରମାନେ ୨ଥର ରାଉଣ୍ଡ କରିବା ନିୟମ ଏବେ କେବଳ ସକାଳ ଓଳିରେ ସୀମିତ ହୋଇ ରହିଯାଇଛି । ଅପରାହ୍ନରେ ଆସୁଥିବା ରୋଗୀ ପରଦିନ ଡାକ୍ତର ଆସିବା ଯାଏ ଭଗବାନଙ୍କ ଭରସାରେ ରହିବାକୁ ପଡୁଛି । ପ୍ରକୃତ ପକ୍ଷେ ଡାକ୍ତରମାନେ ବ୍ୟକ୍ତିଗତ ଭାବେ ବିଭିନ୍ନ କ୍ଲିନିକ୍ ଓ ନର୍ସିଂ ହୋମ୍ରେ ରୋଗୀ ଦେଖିବା ଉପରେ ଗୁରୁତ୍ୱ ଦେବା ଯୋଗୁଁ ମେଡିକାଲରେ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାର ଆଶୁ ସମାଧାନ ଦିଗରେ ହସପିଟାଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ । ନଚେତ୍ ଆଗାମୀ ଦିନରେ ହସପିଟାଲରେ ସ୍ୱାସ୍ଥ୍ୟସେବାରେ ଅବହେଳା କରୁଥିବା ଡାକ୍ତର ଓ ନର୍ସମାନଙ୍କ ଘର ଆଗରେ ଧାରଣା ଦେବା ନେଇ ଆନ୍ଦୋଳନରେ ବସିଥିବା ଯୁବ ସଂଗଠକ ରଘୁନାଥ ଲେଙ୍କା ଓ ସାଥୀ ଅନ୍ତର୍ଯାମୀ ପ୍ରଧାନ, ଯଦୁନାଥ ସେଠୀ, ମହମ୍ମଦ ଇକବାଲ ଖାନ ପ୍ରମୁଖ ଚେତାବନୀ ଦେଇଥିଲେ ।
