ବିଶ୍ୱବ୍ୟାପୀ ହେବାକୁ ଯାଉଛି କୋ-ୱିନ ପୋର୍ଟାଲ : ଭାରତ ସରକାରଙ୍କ ସହିତ ୧୨ଟି ରାଷ୍ଟ୍ରର ବୁଝାମଣା
ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ କୋ-ୱିନ ପୋର୍ଟାଲ ଏବେ ବିଶ୍ୱବ୍ୟାପୀ ହେବାକୁ ଯାଉଛି। ଏହି ପୋର୍ଟାଲର ଜ୍ଞାନକୌଶଳକୁ ନେବା ଲାଗି ୧୨ଟି ରାଷ୍ଟ୍ର ଭାରତ ସରକାରଙ୍କ ସହିତ ବୁଝାମଣା କରିଛନ୍ତି। ବୁଝାମଣା କରିଥିବା ରାଷ୍ଟ୍ରଗୁଡିକ ହେଲା ଆର୍ଜେଣ୍ଟିନା, ବୋଲିଭିଆ, ବ୍ରାଜିଲ, ଚିଲି, କଲମ୍ବିଆ, ଇକ୍ୱେଡର, ଗୁଏନା, ପାରାଗୁଏ, ପେରୁ, ସୁରିନାମ, ଉରୁଗୁଏ ଓ ଭେନେଜୁଏଲା। ଭାରତରେ ସଫଳ କୋରୋନା ଟିକାକରଣ ଅଭିଯାନରେ କୋ-ୱିନ ପୋର୍ଟାଲ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଛି। ଏହାଦ୍ବାରା ଟିକାକରଣ ପ୍ରକ୍ରିୟା ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ ହୋଇପାରିଛି।
ଏହି ପୋର୍ଟାଲ ଦ୍ବାରା କେଉଁ ସମୟରେ କେତେ ଜଣ ଓ କେଉଁ ଠାରେ ଟିକା ନେଲେ ତାହା ଜଣାଯାଇପାରୁଛି। ଏପରିକି ଏହି ପୋର୍ଟାଲ ପ୍ରତି ସେକେଣ୍ଡରେ ୧୦୦ ଡୋଜ ଟିକାକୁ ଟ୍ରାକ୍ କରିପାରୁଛି। ଗୋଟିଏ ଦିନରେ ଏହା ୨.୫ କୋଟି ଡୋଜ ଟିକାକୁ ଟ୍ରାକ୍ କରିପାରିଛି। ଯାହା ସେକେଣ୍ଡ ପ୍ରତି ୮୦୦ରୁ ଅଧିକ ଡୋଜ ଟିକା। ସୋମବାର ସମଗ୍ର ଦେଶରେ ୧୦,୨୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୨୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୪୭,୫୩୬ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୪,୬୩,୬୫୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୧,୯୨୬ଜଣ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୩,୩୮,୪୯,୭୫୮ ଜଣ ସୁସ୍ଥ ହୋଇଛନ୍ତି।
ବିଶ୍ୱର ୯୯ଟି ରାଷ୍ଟ୍ରର ଯାତ୍ରୀଙ୍କୁ ଭାରତ କୋରୋନା କଟକଣା ମୁକ୍ତ ଯାତ୍ରା ଲାଗି ଅନୁମତି ପ୍ରଦାନ କରିଛି। ଅନୁମୋଦିତ କୋରୋନା ଟିକାର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଏହି ୯୯ଟି ଦେଶର ଯାତ୍ରୀଙ୍କ ଭାରତ ଆଗମନ କ୍ଷେତ୍ରରେ ସଙ୍ଗରୋଧ ନିୟମ ଲାଗୁ ହେବ ନାହିଁ। ଏହି ଦେଶର ଯାତ୍ରୀମାନଙ୍କୁ ଯାତ୍ରାର ୭୨ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କୋରୋନା ନେଗେଟିଭ୍ ରିପୋର୍ଟ ଏବଂ ଟିକା ପ୍ରମାଣପତ୍ରକୁ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ହେବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’)ର ଅନୁମୋଦିତ ଟିକା ଆଧାରରେ ଭାରତ ସରକାର ବିଭିନ୍ନ ରାଷ୍ଟ୍ର ସହିତ ଯାତ୍ରା ବୁଝାମଣା କରିଛନ୍ତି। ଅକ୍ଟୋବର ୧୫ ତାରିଖ ଠାରୁ କେନ୍ଦ୍ର ସରକାର ପର୍ଯ୍ୟଟନ ଭିସା ଅନୁମୋଦନ କରିବା ଆରମ୍ଭ କରିଥିବାବେଳେ ବିଦେଶୀ ଯାତ୍ରୀଙ୍କ କ୍ଷେତ୍ରରେ କଟକଣା ହଟାଇଛନ୍ତି। କୋରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରୁ ପର୍ଯ୍ୟଟନ ଭିସା ବନ୍ଦ ରହିଥିଲା।
