୨୧ରେ ୧୦ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଆସନ୍ତା ୨୧ତାରିଖରେ ୧୦ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୨୫ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ । ଏହି ଗସ୍ତକାଳରେ ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବନ୍ଧୁମାନଙ୍କ ସହ ଆସନ୍ତା ୨୧ତାରିଖରେ ଇଟାଲୀ ଗସ୍ତରେ ଯିବେ। ସେଠାରୁ ସେ ଦୁବାଇ ଗସ୍ତ କରିବେ। ଦୁବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜିନେସ୍ ମିଟ୍ ଆୟୋଜିତ ହେଉଥିବାରୁ ସେଥିରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ସହ ବିଦେଶ ଗସ୍ତରେ ସମୟରେ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଯିବେ ବୋଲି ସୂଚନା ମିଳିଛି । ଶ୍ରୀ ପଟ୍ଟନାୟକ ୧୯୯୭ ମସିହାରେ ରାଜନୀତିରେ ପାଦ ଥାପିବା ପରେ ଥରେ ବିଦେଶ ଗସ୍ତ କରିଥିଲେ । ଶେଷଥର ପାଇଁ ୨୦୧୨ ମେ’ ମାସରେ ଲଣ୍ଡନରେ ବିଜିନେସ୍ ମିଟ୍ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। କିନ୍ତୁ ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡନାଇଟ୍ ଅପରେସନ’ ଯୋଗୁ ସେ ନିଜର ଗସ୍ତରୁ ଫେରି ଆସିଥିଲେ। ଏହି ଘଟଣାର ଦୀର୍ଘ ୧୦ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ଯାଉଥିବା ଜଣାପଡ଼ିଛି।
