ଆଜି ବୃନ୍ଦାବତୀ ନିବାସ ଓ ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ପୁରୀ : ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ଯୋଜନାରେ ପୁରୀର ୫ଟି ସ୍ଥାନରେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବେ ୩ ହଜାର ହବିଷ୍ୟାଳୀ । ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନରେନ୍ଦ୍ର କୋଣରେ ପ୍ରତିଷ୍ଠା ହୋଇଥିବା ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିରକୁ ଲୋକାର୍ପଣ କରିବେ। ଏନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ବୃନ୍ଦାବତୀ ନିବାସ ଓ ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କରିବେ। ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲାର ୧୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲାର ୭୩୦ ଜଣ, ମୋଚିସାହି କଲ୍ୟାଣ ମଣ୍ଡପରେ ଅବଶିଷ୍ଟ ଜିଲାର ୬୦୧ ଜଣ ହବିଷ୍ୟାଳୀଙ୍କ ରହଣିର ବ୍ୟବସ୍ଥା ହୋଇଛି।
ଏନେଇ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ପଞ୍ଜୀକରଣ କରିଥିବା ହବିଷ୍ୟାଳୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ଯଦି କେହି ଅନୁପସ୍ଥିତ ରୁହନ୍ତି ତାଙ୍କ ସ୍ଥାନରେ ଅଣପଞ୍ଜୀକୃତ ହବିଷ୍ୟାଳୀଙ୍କୁ ଆବାସ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏହାକୁ ନେଇ ହବିଷ୍ୟାଳୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ହବିଷ୍ୟାଳୀ କହିଛନ୍ତି ଯେ ସେମାନେ ପଞ୍ଜୀକରଣ କରିଥିଲେ ସୁଦ୍ଧା ସେମାନଙ୍କୁ ଆବାସ ମିଳିନାହିଁ। ବାସ୍ତବରେ ହବିଷ୍ୟାଳୀମାନେ ବୁଷ୍ଟର ଡୋଜ୍ ନେଇଥିବା ନିୟମ କରାଯାଇଥିବାରୁ ଏହି ଆଧାରରେ କିଛି ହବିଷ୍ୟାଳୀଙ୍କୁ ବାଦ୍ ଦିଆଯାଇଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପଞ୍ଜିକୃତ କରିନଥିବା ବହୁ ହବିଷ୍ୟାଳୀ ସରକାରୀ ହବିଷ୍ୟାଳୀ ଶିବିରରେ ରହିବା ଆଶାରେ ବିଭିନ୍ନ ସ୍ଥାନରେ ହୋଇଥିବା ଶିବିର ବୁଲି ଦହଗଞ୍ଜ ହୋଇ ଶେଷରେ ନିଜନିଜ ବ୍ୟବସ୍ଥାରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ହବିଷ୍ୟାଳୀଙ୍କ ସୁବିଧା ଦୃଷ୍ଟିରୁ ସଅଳ ଓ ଶୃଙ୍ଖଳିତ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି। ଠିକ୍ ସମୟରେ ପ୍ରଥମ ଭୋଗ ମଣ୍ଡପ ଉଠିବା ସହ ହବିଷ୍ୟାଳୀମାନେ ଯେପରି ଉଚିତ୍ ସମୟରେ ମହାପ୍ରସାଦ ସେବନ କରିବେ ସେନେଇ ଗୁରୁତ୍ବ ଦିଆଯାଉଛି। ଏତଦ୍ବ୍ୟତୀତ ଏକାଦଶୀ, ସୂଯ୍ୟୋପରାଗ ଦିନ ହବିଷ୍ୟାଳୀମାନଙ୍କୁ ଖାଦ୍ୟରେ ଫଳ ଦିଆଯିବାର ବନ୍ଦୋବସ୍ତ କରାଯାଇଛି। ହବିଷ୍ୟାଳୀମାନଙ୍କ ନିକଟରେ ମହାପ୍ରସାଦ ପହଞ୍ଚାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଦାୟିତ୍ବ ନେଇଥିବା ବେଳେ ଅବଢ଼ା ବୋଝେୟାମାନେ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ପରିଧାନ କରି ନିଜ ଦାୟିତ୍ବ ତୁଲାଇବେ। ଅବଢ଼ା ପହଞ୍ଚାଇବା ସହ ବିତରଣ କରିବେ। ବୃନ୍ଦାବତୀ ନିବାସ ନିକଟରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ହବିଷ୍ୟାଳୀମାନେ ସ୍ନାନ କରିବା ପାଇଁ ପ୍ରାଧାନ୍ୟ ଦେଉଥିବାରୁ ପାହାଚଗୁଡ଼ିକ ଯେପରି ଶିଉଳି ମୁକ୍ତ ରହିବ ସେ ଦିଗରେ ଗୁରୁତ୍ବ ଦିଆଯାଇଛି। ସେହିପରି ହବିଷ୍ୟାଳୀମାନେ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ମଧ୍ୟ ପୁଲିସ୍ ପ୍ରଶାସନ ସହଯୋଗରେ ବ୍ୟବସ୍ଥା କରାଯାଇଛି।
