ଆଜି ପୁରୀ ମେଡ଼ିକାଲ କଲେଜରେ ଶିକ୍ଷା ବର୍ଷ ଆରମ୍ଭର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ପୁରୀ : ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଶିକ୍ଷା ବର୍ଷ ଆରମ୍ଭର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପୁରୀ ଜିଲାପାଳ ସୂଚନା ଦେଇଛନ୍ତି ।
ପୁରୀ-କୋଣାର୍କ ରାସ୍ତାର ବାଲିଗୁଆଳି ଠାରେ ଥିବା ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଆଣ୍ଡ ହସ୍ପପିଟାଲ (ଏସଜେଏମସିଏଚ)କୁ ଆନୁଷ୍ଠାନିକ ଭବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦ୍ଘାଟନ କରିବେ । ଏଥିପାଇଁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଲେଜ ପରିସରରେ ଅସ୍ଥାୟୀ ହେଲିପ୍ୟାଡ଼ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ସେଠାରେ ହେଲିକ୍ୟାପ୍ଟର ଯୋଗେ ଅପରାହ୍ନରେ ଅବତରଣ କରିବା ପରେ କଲେଜକୁ ଉଦଘାଟନ କରିବେ । ଏହାସହ କଲେଜର ପ୍ରଫେସର ଓ ନୂତନ ଭାବେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବେ । ଦୀର୍ଘ ବର୍ଷ ପରେ ଏହା ଉଦ୍ଘାଟିତ ହେଉଥିବାରୁ ପୁରୀ ଜିଲା ପାଇଁ ସ୍ୱାସ୍ଥ୍ୟ ଜନିତ ଖୁସିର ଖବର ଆଣିଦେଇଛି । ୧୦୦ ଜଣ ଏମବିବିଏସ ସିଟ୍ରେ ନାମଲେଖା ଶେଷ ହୋଇଛି । ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ,ପୁରୀ ସାଂସଦ ପିନାକୀ ମିଶ୍ର, ଜଗତସିଂହପୁର ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ନିମାପଡ଼ା ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କାକଟ ପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗଦେବେ ।
