କର୍ମୀଙ୍କୁ ସେବା ଓ ସମର୍ପଣର ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପୁରୀ : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଶାସକ ଦଳ ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ପୁରୀ ତାଳବଣିଆ ପଡ଼ିଆଠାରେ ଆଜି ବିଜେଡିର ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଉଛି। ଏଥିରେ ପ୍ରାୟ ୫୦ ହଜାର ନେତା, କର୍ମୀ ଓ କର୍ମକର୍ତ୍ତା ଯୋଗଦେବେ। ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗ ଦେଇ ଦଳକୁ ଦଳୀୟ କର୍ମୀଙ୍କ ମାର୍ଗଦର୍ଶନ କରିବା ସହ ୨୦୨୪ ନିର୍ବାଚନ ପାଇଁ ଦେବେ ଗୁରୁମନ୍ତ୍ର । ଦଳୀୟ କର୍ମୀଙ୍କୁ ଜନସେବା ପାଇଁ ସଂକଳ୍ପ ନେବା ସହ ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପୁଣି ଥରେ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ।
ବିଜେଡି ଗଠନର ରୌପ୍ୟ ଜୟନ୍ତୀ ସମାବେଶ ପାଇଁ ନେତା ଓ କର୍ମୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିଆସୁଛି ଦଳ । ନବୀନ ପଟ୍ଟନାୟକ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତାସୀନ ହୋଇଥିଲା । ଦିନେ ନିଅଣ୍ଟିଆ ରାଜ୍ୟର ପରିଚୟ ପାଇଥିବା ଓଡ଼ିଶା ଏବେ ଦେଶକୁ ଆହାର ଯୋଗାଉଛି । ରୌପ୍ୟ ଜୟନ୍ତୀରେ ରାଜ୍ୟ ବିକାଶ କ୍ଷେତ୍ରରେ ହାସଲ କରିଥିବା ମାଇଲଷ୍ଟୋନ୍ ନେଇ ଏକ ୧୫ ମିନିଟର ଭିଡିଓ ପ୍ରଦର୍ଶନ କରାଯିବ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାର ନେତୃତ୍ବ ନେଇଥିଲେ ନବୀନ ପଟ୍ଟନାୟକ । ନବୀନଙ୍କ ସ୍ବଚ୍ଛ ନିର୍ମଳ ଶାସନ ଲଗାତାର ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇଛି ।
ନବୀନଙ୍କ ସରଳପଣିଆ, ସ୍ୱଚ୍ଛ ଭାବମୂର୍ତ୍ତି ଆଉ ନିର୍ବାଚନୀ ରଣନୀତି ଆଗରେ ବିରୋଧୀ ଆଜି ବି ଉପାୟଶୂନ୍ୟ । ବିଜେଡିର ବିଜୟ ଯାତ୍ରାର ହିସାବରେ ରାଜନୈତିକ ପଣ୍ଡିତ ସବୁବେଳେ ଚକିତ । ୨୫ ବର୍ଷର ଯାତ୍ରା ଭିତରେ ଲଗାତାର ୨୨ ବର୍ଷ ହେବ କ୍ଷମତାରେ ରହିଛି ବିଜେଡି । ଦୀର୍ଘ ବର୍ଷର କ୍ଷମତାସୀନ ସରକାର ବିରୋଧ ହାୱା ବହିବା ସ୍ୱାଭାବିକ । ମାତ୍ର ଓଡ଼ିଶାରେ ସବୁବେଳେ ସମ୍ପୂର୍ଣ୍ଣ ବ୍ୟତିକ୍ରମ । ଏଠି ଗୋଟିଏ ହାୱା ବହି ଚାଲିଛି, ଯାହାର ନାଁ ‘ନବୀନ’ । ନିର୍ବାଚନ ପରେ ନିର୍ବାଚନ ଜିତି ବଳ ବଢ଼ାଇ ଚାଲିଛି ବିଜେଡି । ଭୋଟ ପ୍ରତିଶତ ବଢ଼ୁଛି, ଭୋଟ ପରିମାଣ ବି । ଆଗାମୀ ନିର୍ବାଚନ ପାଇଁ ବିଜେଡିର ନୂଆ ମିଶନ- ଦେଢ଼ କୋଟି ଭୋଟ୍ ।
ରାଜନୈତିକ ପଣ୍ଡିତଙ୍କ ହିସାବରେ ଦେଢ଼ କୋଟି ଭୋଟର ଟାର୍ଗେଟ ସହଜ ନୁହେଁ । କିନ୍ତୁ, ନବୀନ ମ୍ୟାଜିକ ଆଗରେ ସବୁ ଟାର୍ଗେଟ ସମ୍ଭବ । ଏହା ବାରମ୍ବାର ପ୍ରମାଣିତ ହୋଇଛି । ପ୍ରତି ନିର୍ବାଚନରେ ବିଜେଡିର ଭୋଟ ପରିମାଣ ବଢ଼ିଛି, ଯାହାକି ଭାରତୀୟ ରାଜନୀତି ଧାରାର ପୂରା ଓଲଟା । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ୫୨.୭ ପ୍ରତିଶତ ଭୋଟ ପାଇବା ସହ ୭୮୮ ଜିଲ୍ଲା ପରିଷଦ ଆସନ ହାସଲ କରିଛି । ସମସ୍ତ ୩୦ଟି ଯାକ ଜିଲ୍ଲା ପରିଷଦକୁ ଦଖଲକୁ ନେବାର ଐତିହାସିକ ରେକର୍ଡ କରିଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ୪୩% ଭୋଟ ମିଳିଥିଲା ।
୨୦୨୨ ପଞ୍ଚାୟତ ନିର୍ବାଚନରେ ମୋଟ ଭୋଟ ପଡ଼ିଥିଲା ୨ କୋଟି ୧୦ ଲକ୍ଷ ୨୮ ହଜାର ୪୦୩ । ଏକାକୀ ବିଜେଡି ହାତେଇଲା ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ଭୋଟ । ବିଜେପିକୁ ୬୩.୨୬ ଲକ୍ଷ ଓ କଂଗ୍ରେସକୁ ୨୮.୫୪ ଲକ୍ଷ ଭୋଟ ମିଳିଲା । ଏହି ବିଶାଳ ସ୍କୋରବୋର୍ଡ ବିଜେଡିର ମନୋବଳକୁ ଢେର ବଢ଼ାଇ ଦେଇଛି । ଦଳ ଆଗାମୀ ନିର୍ବାଚନରେ ଦେଢ଼ କୋଟି ମତଦାତାଙ୍କ ସମର୍ଥନ ପାଇବାକୁ ଲକ୍ଷ୍ୟ ନେଇ ଲାଗି ପଡ଼ିଛି ।
୨୦୧୯ ବିଧାନସଭା ନିର୍ବାଚନ ଫଳାଫଳକୁ ଯଦି ଦେଖିବେ, ବିଜେଡି ରେକର୍ଡ ସଂଖ୍ୟକ ୧,୦୪,୭୦,୯୪୧ ଭୋଟ ପାଇଥିଲା । ଦଳର ଭୋଟ ହାର ଥିଲା ୪୫.୨% । ଆସନ ମିଳିଥିଲା ୧୧୨ । ୨୦୧୪ରେ ବିଜେଡି ବିଧାନସଭାରେ ୧୧୭ଟି ଆସନ ଜିତିବା ସହ ୪୩.୯ ପ୍ରତିଶତ ଭୋଟ ପାଇଥିଲା । ବିଜେଡିକୁ ମିଳିଥିଲା ୯୩,୩୪,୮୫୨ ଭୋଟ ।
ବିଜେଡି ଆରମ୍ଭରୁ ବିଜେପି ସହ ମେଣ୍ଟରେ ଥିଲା । କିନ୍ତୁ, ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡିର ବଳ ଆହୁରି ବଢ଼ି ବଢ଼ି ଚାଲିଛି । ୨୦୦୯ ନିର୍ବାଚନରୁ ବିଜେଡି ଏକାକି ଯାତ୍ରା ଆରମ୍ଭ ହୋଇଥିଲା । ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ୬୯,୦୩,୬୪୧ ଭୋଟ ପାଇଥିଲା । ଭୋଟ ହାର ଥିଲା ୩୮.୯% । ଏଇଠୁ ଗୋଟିଏ କଥା ସ୍ପଷ୍ଟ- ବିଜେଡିର ଭୋଟ ଓ ଭୋଟ ପ୍ରତିଶତ ପ୍ରତି ଥର ବଢ଼ିଚାଲିଛି । ଏହି ପରିସଂଖ୍ୟାନକୁ ଧରି ବିଜେଡି ଏବେ ମିଶନ ଦେଢ଼ କୋଟି ଭୋଟ ହାତେଇବାକୁ ପଣ କରି ନେଇଛି ।
ରାଜ୍ୟରେ ସାଢେ ୪ କୋଟିରୁ ଅଧିକ ଲୋକଙ୍କ ମଧ୍ୟରୁ ପ୍ରାୟ ୩ କୋଟି ୪୦ ଲକ୍ଷ ହେଲେ ଭୋଟର । ଆଗାମୀ ବିଧାନସଭା ନିର୍ବାଚନରେ ଯଦି ୭୫% ମତଦାନ ହୁଏ, ତେବେ ପ୍ରାୟ ଅଢ଼େଇ କୋଟି ଭୋଟ୍ ପଡିବ । ସେଥିରୁ ଦେଢ଼ କୋଟି ଭୋଟ୍ ହାତେଇବାକୁ ବିଜେଡି ଲକ୍ଷ୍ୟ ରଖିଛି । ୨୦୧୯ରେ ୪୫% ମତଦାତାଙ୍କ ମନ ଜିଣିଥିବା ବିଜେଡି ଏଥରକ ଲମ୍ବଡିଆଁ ମାରିବାକୁ ଟାର୍ଗେଟ ରଖିଛି । ୨୦୨୪ରେ ବିଜେଡି ୫୦% ଭୋଟ୍ ହାସଲ କଲେ ମଧ୍ୟ ଏହ ଏକ ରେକର୍ଡ ହେବ । ଆସନ ସଂଖ୍ୟା ୧୨୫ ପାଖାପାଖି ପହଞ୍ଚି ଯାଇପାରେ ।
ଆରମ୍ଭରୁ ବିଜେଡିର ସ୍ଲୋଗାନ ଥିଲା- ବିଜୁ ଜନତା ଦଳ ଲୋକଙ୍କର ବଳ । ଏବେ ନାରା ବଦଳିଛି- ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନ । ବିଜେଡି ଯେ ଏକ ରାଜନୈତିକ ଦଳରୁ ଊଦ୍ଧ୍ୱର୍ ହୋଇ ରାଜନୈତିକ ଆନ୍ଦୋଳନ ରୂପ ନେଇଛି, ତାହା ପ୍ରମାଣିତ କରି ଚାଲିଛି ପ୍ରତି ନିର୍ବାଚନ । ନିର୍ବାଚନ ପରେ ନିର୍ବାଚନ ଜିତି ବିଜେଡି କେବଳ ନିଜ ରେକର୍ଡ ଭାଙ୍ଗୁଛି ଓ ନୂଆ ରେକର୍ଡ ଛିଡ଼ା କରୁଛି ।
ବିଜେଡିର ପ୍ରତିଟି ବିଜୟର ସବୁ ଶ୍ରେୟ ନବୀନଙ୍କୁ ହିଁ ଯାଉଛି । ଚଳିତବର୍ଷ ନବୀନ ମଧ୍ୟ ତାଙ୍କ ରାଜନୈତିକ ଯାତ୍ରାର ୨୫ ବର୍ଷ ପୂରଣ କରିଛନ୍ତି । ୧୯୯୭ ମସିହାରେ ବିଜୁବାବୁଙ୍କ ପରଲୋକ ପରେ ଆକସ୍ମିକ ଭାବରେ ଓଡ଼ିଶା ରାଜନୀତିରେ ନବୀନଙ୍କର ଆବିର୍ଭାବ ଘଟିଥିଲା । ସେଇଠୁ ହିଁ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଥିଲା ନବୀନ ଯୁଗ । ସେବେଠାରୁ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଏବଂ ଜନପ୍ରିୟତା ରାଜ୍ୟବାସୀଙ୍କ ହୃଦୟରେ ସେମିତି ଚମକୁଛି, ଏଥିରେ ଦ୍ୱିମତ ନାହିଁ ।
