ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ; ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ
ଭୁବନେଶ୍ୱର : ଆଜି କେନ୍ଦୁଝର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝର ଯାଇ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।
ସୋମବାର ପୂର୍ବାହ୍ଣ ୧୧ଟା ୧୫ ମିନିଟରେ କେନ୍ଦୁଝରରେ ପହଂଚିବେ ମୁଖ୍ୟମନ୍ତ୍ରୀ । ୧୧ଟା ୨୦ରେ ସେ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଉଦ୍ଘାଟନ କରିବେ । ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି । ମେଡିକାଲ କଲେଜକୁ ଉଦ୍ଘାଟନ କରିବା ପରେ ସାଧାରଣ ସଭାରେ ଯୋଗଦାନ କରିବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ପୂର୍ବରୁ ଧରଣୀଧର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନେଇ ବଡ଼ ଘୋଷଣା କରିଛନ୍ତି ।
ସୂଚନା ଯେ, କନ୍ଦୁଝରର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଧରଣୀଧର ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଡି କଲେଜ୍ ଏବେ ବିଶ୍ୱବିଦ୍ୟାଳୟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ଭିଡିଓ ବାର୍ତା ଜରିଆରେ ଏହି ଘୋଷଣା କରିଥିଲେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବି ବିଜ୍ଞପ୍ତି ଜାରି ହୋଇଥିଲା । ଧରଣୀଧର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା ।
