ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତର ଏପାଖସେପାଖ! ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଲେ ଜନସାଧାରଣ, ଜାଣନ୍ତୁ କ’ଣ
ବାଲେଶ୍ୱର : ଆଜି ବାଲେଶ୍ୱର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏହି ଗସ୍ତରେ ଜିଲାର ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନିମିତ୍ତ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ଛକମାନଙ୍କରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଥିଲା । ମାତ୍ର ଏଥିରେ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ମେଡ଼ିକାଲକୁ ଆସୁଥିବା ଲୋକେ ଏପରିକି ଛାତ୍ରୀଛାତ୍ରମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳୀକୁ ନିମନ୍ତ୍ରିତ ହୋଇ ଆସିଥିବା ମହିଳା ଓ ପୁରୁଷମାନେ (ଯେଉଁମାନେ କଳା ରଙ୍ଗର ସୁଇଟର କିମ୍ବା ଜାକେଟ୍) ପିନ୍ଧି ଆସିଥିଲେ ସେମାନଙ୍କୁ ହଟହଟ୍ଟା ହେବାକୁ ପଡ଼ିଥିଲା । ସଭାସ୍ଥଳୀ ପଡ଼ିଆକୁ ପଶୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ସେମାନେ ବାଧ୍ୟ ହୋଇ କଳା ସୁଇଟର କିମ୍ବା ଜାକେଟ୍ ଖୋଲି ଦେଇ ଗେଟ୍ ଉପରେ ଥୋଇଥିଲେ । ପରେ ସଭାସ୍ଥଳକୁ ପଶିଥିଲେ । ଏପରିକି କିଛି ଲୋକ ସୁଇଟର କିମ୍ବା ଜାକେଟ୍ ନ ଖୋଲି ଫେରିଯାଇଥିବାର ଦେଖିବାକୁ ମିଳିଥିଲା ।


ବିଶେଷ କରି ସ୍କୁଲ ଯାଉଥିବା ପିଲା ଅନେକ ଅସୁବିଧା ଭୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦିନ ୧୧ଟା ପରେ ବାଲେଶ୍ୱର ପହଞ୍ଚିବା ନିର୍ଦ୍ଧାରିତ ହୋଇଥିଲା । ହେଲେ ସକାଳ ଠାରୁ ଆଖପାଖରେ ଥିବା ସମସ୍ତ ଛକ ଗୁଡ଼ିକ ଏବଂ ରାସ୍ତା କୁ ପୋଲିସ ସିଲ କରିଦେଇଥିଲା । ଯାହାପାଇଁ ଛାତ୍ରୀଛାତ୍ର ଉକ୍ତି ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ଥିବା ସ୍କୁଲକୁ ଯିବା ପାଇଁ ନାକେଦମ ହୋଇଥିଲେ । ୪ରୁ ୫ କିଲୋମିଟର ବୁଲିବୁଲି ସ୍କୁଲ ଯିବାକୁ ପଡ଼ିଥିଲା । ସମସ୍ୟା ସେତିକିରେ ସରିନଥିଲା ଯେଉଁ ଛୋଟଛୋଟ ପିଲା ମାନେ ସକାଳରୁ ସ୍କୁଲ ଯାଇଥିଲେ ସେମାନେ ଘରକୁ ଫେରିବାରେ ଅସୁବିଧା ହୋଇଥିଲା । ଅଭିଭାବକ ମାନେ ସ୍କୁଲ ଠିକଣା ସମୟରେ ପହଞ୍ଚି ପାରିନଥିଲେ । ସେହିଭଳି ଅନେକ ସ୍କୁଲକୁ ଜିଲା ଶିକ୍ଷାଧିକାରୀ ସ୍କୁଲ ବନ୍ଦ କରିବାକୁ କୌଣସି ପରାମର୍ଶ କିମ୍ବା ଚିଠି କରିନଥିବାରୁ ସ୍କୁଲ ଖୋଲି ହଇରାଣରେ ପଡ଼ିଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ସମାବେଶ ସ୍ଥଳୀ ନିକଟରେ ଥିବା ଇଏସ୍ଆଇ ହସ୍ପିଟାଲକୁ ଆସିଥିବା ଲୋକେ ମଧ୍ୟ ସେଠାକୁ ଯାଇପାରିନଥିଲେ । ତାଙ୍କୁ ପୋଲିସ ରାସ୍ତାରେ ଅଟକାଇ ଦେଇଥିଲେ । ଏପରିକି ଜଣେ ମାଜିଷ୍ଟ୍ରେଟ୍ଙ୍କ ଘରକୁ କ୍ଷୀର ପ୍ୟାକେଟ୍ ନେଇ ଆସିଥିବା ଲୋକ ମଧ୍ୟ ଅଟକି ଯାଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତ ସାରି ଫେରିବା ପରେ ସହରରେ ସୁସଜ୍ଜିତ ଥିବା ଦଳୀୟ ପତାକା, ବ୍ୟାନର ଓ ପୋଷ୍ଟର ରାସ୍ତା ସାରି ପଡ଼ିଥିବାର ଦେଖିବାକୁ ମିଳିଛି । ଦଳର ଏଭଳି ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ନିନ୍ଦା କରାଯାଇଛି ।
