ଆଦିବାସୀ ମେଳା ହେଉଛି ଆଦିବାସୀ ସଂସ୍କୃତିକୁ ଭଲ ପାଇବାର ଏକ ମହାନ୍ ପରମ୍ପରା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳାର ଉଦ୍ଘାଟନ କରିଛନ୍ତି । ଏହା ସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ମେଳା ଏବେ କେବଳ ଗୋଟିଏ ମେଳା ହୋଇ ରହି ନାହିଁ,ଏହା ଏକ ପରମ୍ପରା ହୋଇଯାଇଛି । ଆମ ଆଦିବାସୀ ସଂସ୍କୃତିକୁ ଭଲ ପାଇବାର ଓ ଅନୁଭବ କରିବାର ଏହା ଏକ ମହାନ ପରମ୍ପରା ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଆମର ଆଦିବାସୀ ଭାଇଭଉଣୀମାନେ ଯେଉଁ ଜିନିଷ ଉତ୍ପାଦନ କରନ୍ତି, ତା ପାଇଁ ଏହି ମେଳାରେ ଏକ ଭଲ ମାର୍କେଟ ମଧ୍ୟ ସୃଷ୍ଟି ହୋଇଥାଏ । ଜନଜାତିମାନଙ୍କର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ବୋଲି ମତ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ମୋର ଦୃଢ ବିଶ୍ୱାସ, ଏ ବର୍ଷ ଆମର ଜନଜାତିମାନଙ୍କ ଉତ୍ପାଦିତ ଜିନିଷଗୁଡିକ ବହୁତ ଭଲ ବ୍ୟବସାୟ କରିବ ।’ଜନଜାତି ଭାଇଭଉଣୀମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଏହି ମେଳା ହୋଇପାରି ନ ଥିଲା । ଖୁସିର କଥା, ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ମହାମାରୀର ପ୍ରଭାବ କମିଛି । ସାଧାରଣ ଜୀବନଯାତ୍ରା ଆରମ୍ଭ ହୋଇଛି । ତେବେ ଆମ ସମସ୍ତଙ୍କୁ ସାବଧାନ ରହିବାକୁ ହେବ ବୋଲି ସେ ସତର୍କ କରାଇ ଦେଇଥିଲେ । ଉଦ୍ଘାଟନୀ ସମାରୋହରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ କହିଲେ ଯେ ଜନଜାତି ଭାଇଭଉଣୀଙ୍କୁ ସାଂସ୍କୃତିକ ତଥା ସାମାଜିକ ଭାବଧାରାରେ ସଂପୃକ୍ତ କରିବାର ଆଭିମୁଖ୍ୟ ନେଇ ଏପରି ମେଳା ଆୟୋଜିତ ହୋଇଛି । ଜନଜାତିଙ୍କ କଳା ଓ କାରିଗରୀ ତଥା ସୃଜନଶୀଳ ରୁଚିର ପ୍ରସାର ଏବଂ ସଂରକ୍ଷଣରେ ଏହି ମେଳା ଯଥେଷ୍ଟ ସହାୟକ ହେବ । ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ଏସ୍ସିଏସ୍ଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା, ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ଉପସ୍ଥିତ ଥିଲେ । ଅତିଥିମାନଙ୍କ କରକମଳରେ ଆଦିବାସୀ ଜର୍ଣ୍ଣାଲ, ବାଇଗା ଓ କୋଲି ଟ୍ରାଇବ ଉପରେ ଆଧାରିତ ଫୋଟୋ ହ୍ୟାଣ୍ଡବୁକସ୍, ଏସ୍ଟି ପପୁଲେସନ୍ ଆନାଲିସିସ୍ ଏବଂ ଏସ୍ସି ପପୁଲେସନ୍ ଆନାଲିସିସ୍ ଉନ୍ମୋଚିତ ହୋଇଥିଲା ।
ଚଳିତ ବର୍ଷ ଆଦିବାସୀ ମେଳା ଓ ଜାତୀୟ କଳା ଓ କଳାସାମଗ୍ରୀ ପ୍ରଦର୍ଶନୀ ନିମନ୍ତେ ମୋଟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଆଦିବାସୀ ହାଟରେ ବିିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା ହୋଇଛି । ଏଠାରେ ୧୦୪ଟି ଷ୍ଟଲ ରହିଛି । ଆଇଟିଡିଏ ଦ୍ୱାରା ୪୪ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କର ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରିବେ । ୧୭ଟି ଷ୍ଟଲ ଅଣୁପ୍ରକଳ୍ପ ଅଧୀନସ୍ଥ ଜନଜାତି ଏସଏଚଜିମାନଙ୍କୁ ଆବଣ୍ଟନ କରାଯାଇଛି । ଜାତୀୟ ଜନଜାତି ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ସ୍ୱତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଆଦିବାସୀ କାରିଗରମାନେ ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି, ଓରମାସ୍ ର ୧୫ଟି ଏବଂ ଟିଡିସିସିର ୨ଟି ଷ୍ଟଲରେ ଜନଜାତି ସାମଗ୍ରୀର ଭରପୂର ସମ୍ଭାର ବିକ୍ରୟ ପାଇଁ ଗଚ୍ଛିତ ରହିଛି । ସୂଚନା ଓ ଲୋକସଂପର୍କ ବିଭାଗର ଗୋଟିଏ ଷ୍ଟଲ୍ରେ ଓଡ଼ିଶା ସରକାରଙ୍କ ଜନଜାତି ବିକାଶ କାର୍ଯ୍ୟକ୍ରମ ସହିତ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତିର ଫଟୋଚିତ୍ର ସୁନ୍ଦର ଓ ଚିତାକର୍ଷକ ଭାବେ ସ୍ଥାନୀତ ହୋଇଛି । ମେଳାରେ ସନ୍ଧ୍ୟା ୬.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି । ମେଳାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହିତ ବେସରକାରୀ ସୁରକ୍ଷା ସଂସ୍ଥାକୁ ମଧ୍ୟ ନିୟୋଜନ କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଦିବାସୀ ମେଳା ଅପ୍ରେଲ ୨୩ରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଚାଲିବ । ପ୍ରତ୍ୟହ ଅପରାହ୍ନ ୩.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଆଦିବାସୀ ମେଳା ଖୋଲା ରହିବ ।
