ସୋରିଷପଦର ବସ୍ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଶୋକସନ୍ତପ୍ତ ପରିବାର ପ୍ରତି ଜଣାଇଲେ ସମବେଦନା
ଭୁବନେଶ୍ବର : ନବରଙ୍ଗପୁର ସୋରିଷପଦର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ନବରଙ୍ଗପୁର ଜିଲା ସୋରିଷପଦର ନିକଟରେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ସଂଖ୍ୟାଧିକ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି ।
ନବରଙ୍ଗପୁର ଜିଲ୍ଲା ସୋରିଷପଦର ନିକଟରେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ସଂଖ୍ୟାଧିକ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
— Naveen Patnaik (@Naveen_Odisha) February 19, 2022
ସୂଚନା ଯେ, ଶୁକ୍ରବାର ନବରଙ୍ଗପୁରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିଲେ । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ମୃତ ଗ୍ରାମରକ୍ଷୀମାନେ ହେଲେ ନବରଙ୍ଗପୁର ଇଛାବତୀଗୁଡ଼ାର ଶେଷା ରାଓ, ଖାତିଗୁଡା ଥାନା ଅଞ୍ଚଳର ରବି ବିଶୋଇ ଓ ଡ଼ଙ୍ଗରଭେଜା ଫାଣ୍ଡି ଅଞ୍ଚଳର ଜଗବନ୍ଧୁ ଗୌଡ଼ ବୋଲି ଜଣାପଡିଛି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ନେଇ ବସ୍ ଟି କୋଷାଗୁମୁଡ଼ା ଯାଉଥିଲା । ବସ୍ ରେ ୩୫ରୁ ଅଧିକ ଜଣ ପୋଲିସ କର୍ମଚାରୀ ଥିଲେ । ଏମାନେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବାର ଥିଲା । ସେହିପରି ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ଓ ଗୁରୁତରମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଯିବା ସହ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ର ସୂଚନା ଦେଇଥିଲେ । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ସଦାଶିବ ପ୍ରଧାନୀ ମେଡିକାଲରେ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଆହତମାନଙ୍କ ପାଇଁ ସହାୟତା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ ସାଂସଦ ।
