ଆଜି ୧୩ଟି ନୂଆ ଜିଲାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି
ନୂଆଦିଲ୍ଲୀ : ଆଜି ୧୩ଟି ନୂଆ ଜିଲା ଗଠନ କରିବ ଆନ୍ଧ୍ର ପ୍ରଦେଶ। ଆନ୍ଧ୍ରପ୍ରଦେଶ ବିଭାଜନ ପରେ ୧୩ଟି ଜିଲା ଥିବା ବେଳେ ଏହାର ସଂଖ୍ୟା ଏବେ ୨୬କୁ ବୃଦ୍ଧି ପାଇବ। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏହାକୁ ଉଦଘାଟନ କରିବେ। ସେହିପରି ନୂଆ ଜିଲା ୱେବ ପୋର୍ଟାଲ ଏବଂ ମ୍ୟାପ ଉନ୍ମୋଚନ ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ ରେଡ୍ଡି ।
ଏହା ପୂର୍ବରୁ ନୂଆ ଜିଲାର ଜିଲାପାଳ ଏବଂ ଏସପିଙ୍କ ନାଁ ଗତକାଲି ପ୍ରକାଶ କରାଯାଇଛି। ଆନ୍ଧ୍ରର ମସୁଧା ଅନୁସାରେ ପୂର୍ବରୁ କୋଟିଆ ବିଜୟ ନଗରମ ଜିଲାରେ ଥିବାବେଳେ ନୂଆ ବ୍ୟବସ୍ଥା ଅନୁସାରେ ଏବେ ପାର୍ବତୀପୁରମ ଜିଲାରେ ରହିବ। କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ା ନୂଆ ପାର୍ବତୀପୁରମ ଜିଲାରେ ସ୍ଥାନ ଦେବା ଲାଗି ଆନ୍ଧ୍ର ପ୍ରଦେଶ ଯୋଜନା କରୁଛି। ସୂଚନା ଯେ, ଆନ୍ଧ୍ରପ୍ରଦେଶ ଗତ ୨୦୧୪ରେ ଦୁଇଟି ଅଲଗା ରାଜ୍ୟ ଭାବେ ବିଭକ୍ତ ହୋଇଥିଲା । ତେଲେଙ୍ଗାନା ଭାବେ ନୂଆ ରାଜ୍ୟ ଗଢି ଉଠିଥିଲା । ସେବେଠୁ ଆନ୍ଧ୍ରର ଜିଲାକୁ ଭାଗ କରାଯାଇନଥିଲା । ତେବେ ପ୍ରଶାସନିକ କାର୍ଯ୍ୟକଳାପ ସହଜ ପାଇଁ ମୁଖ୍ୟମନ୍ତ୍ରୀ ରେଡ୍ଡି ଏବେ ୧୩ଟି ଜିଲାକୁ ୨୬ଟିରେ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।
