୧୬୩ କୋଟି ଟଙ୍କାର ନିଶା ସାମଗ୍ରୀରେ ନିଆଁ ଲଗାଇଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା
ଗୌହ୍ଵାଟୀ : ଆସାମରେ ଅବୈଧ ନିଶା କାରବାର ବିରୋଧରେ ରାଜ୍ୟ ବିଜେପି ସରକାର ବଡ ଧରଣର ଅଭିଯାନ ଚଳାଇଛି । ଅବୈଧ ଡ୍ରଗ୍ସ ବିରୋଧରେ ଜିରୋ ଟୋଲେରାନ୍ସର ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା । ଫଳରେ ନିଶା କାରବାର ବିରୋଧରେ ଜୋରଦାର ଧରପଗଡ ଜାରି ରହିଛି । ଗତ କିଛି ଦିନରେ ୧୬୩ କୋଟି ଟଙ୍କାର ହିରୋଇନ, ଭାଙ୍ଗ, ଅଫିମ, ମାଦକ ଦ୍ରବ୍ୟ, ସାଇକୋଟ୍ରୋପିକ ଗୋଲି, କ୍ରିଷ୍ଟଲ ମେଥାମଫେଟାମାଇନ ଆଦି ବିଭିନ୍ନ ନିଶା ଦ୍ରବ୍ୟ ଜବତ ହୋଇଛି । ଏହି ପରିପ୍ରେକ୍ଷୀରେ ରବିବାର ମୁଖ୍ୟମନ୍ତ୍ରୀ ୧୬୩ କୋଟି ଟଙ୍କାର ସମସ୍ତ ଜବତ ନିଶା ସାମଗ୍ରୀକୁ ନିଆଁ ଲଗାଇ ଜଳାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ଜବତ ନିଶା ସାମଗ୍ରୀର ମାତ୍ରା କେବଳ ୧୦ ପ୍ରତିଶତ, ତେବେ ଆସାମରେ ପୂରା ଅବୈଧ ଡ୍ରଗ୍ସର କାରବାର ବାର୍ଷିକ ୫୦୦୦ କୋଟି ଟଙ୍କାର ହେବ।
ଏନେଇ ବିରୋଧୀ ଦଳର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୋଲିସ ଡ୍ରଗ୍ସ ଡିଲରଙ୍କ ବିରୋଧରେ ନିଜର ଅଭିଯାନକୁ ନେଇ ଖୁସି ଅଛି । କିଛି ଲୋକ କହୁଛନ୍ତି, ପୋଲିସକୁ ଏହି ସବୁ ଧନ୍ଦା କରୁଥିବା ଲୋକଙ୍କୁ ଗିରଫ ନକରି ଗୁଳି କରିଦେବା ଉଚିତ୍। କିନ୍ତୁ ଆମେ ଏମିତି କରି ପାରିବୁ ନାହିଁ। ଆଇନର ପରିଧିରେ ରହି ନିଜ କର୍ତ୍ତବ୍ୟର ପାଳନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
