ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ବ୍ୟାଙ୍କ ସୁବିଧା ନ ଥିବା ୪୬୪୯ଟି ପଂଚାୟତରେ କରେସପଣ୍ଡେଟ ନିଯୁକ୍ତି ପାଇବେ ମିଶନ ଶକ୍ତି ମହିଳା
ଭୁବନେଶ୍ୱର : ରାଜ୍ୟରେ ମହିଳା ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ମିଶନ ଶକ୍ତି ମା ମାନଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉ । ରାଜ୍ୟ ସରକାରଙ୍କ ସବୁ ବିଭାଗ ମାନେ ଏହାକୁ ମହିଳା ଆର୍ôଥକ ସଶକ୍ତିକରଣର ଏକ ଦିଗ ଭାବେ ଗ୍ରହଣ କରି କାମ କରନ୍ତୁ । ଆବଶ୍ୟକସ୍ଥଳେ ମିଶନ ଶକ୍ତି ମା ମାନଙ୍କର ପାରିଶ୍ରମିକ ମଧ୍ୟ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ବିଭିନ୍ନ ସରକାରୀ ବିଭାଗ କାମ ଯୋଗାଇ ଦେବା ସଂପର୍କରେ କୋଡ଼ିଏ ଟି ବିଭାଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ସବୁ ବିଭାଗ ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ କାମ ଯୋଗାଇ ଦେବାପାଇଁ ଆଗାମୀ ୩ ବର୍ଷ ପାଇଁ ଆକସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ବୈଠକରେ ମିଶନ ଶକ୍ତି ବିଭାଗ କମିଶନର-ତଥା-ସଚିବ ଶ୍ରୀମତୀ ସୁଜାତା କାର୍ତେକେୟ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହି ଉପସ୍ଥାପନା ଅନୁଯାୟୀ ୧୩ଟି ବିଭାଗ ୨୦୨୦-୨୧ ଆର୍ôଥକ ବର୍ଷରେ ୧୦୪୭୧୨ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ବିଜିନେସ୍ ସରକାର ଯୋଗାଇ ଦେଇଛନ୍ତି । ମିଶନ ଶକ୍ତି ଗୋଷ୍ଠୀର ମା ମାନେ ୨୯୬ କୋଟି ଟଙ୍କାର ରୋଜଗାର ପାଇଛନ୍ତି ।
ବୈଠକରେ ସବୁ ବିଭାଗ ମାନେ ଆଗାମୀ ୩ ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବ୍ୟାଙ୍କ ସୁବିଧା ନ ଥିବା ଗ୍ରାମ ପଂଚାୟତ ଗୁଡିକରେ ମିଶନ ଶକ୍ତିର ମା ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଟ ଭାବରେ ନିଯୁକ୍ତି ଦେବା ପାଇଁ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏକ ଗେମ୍ ଚେଂଜର ଭାବରେ ବର୍ଣ୍ଣନା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ୬୭୯୮ଟି ଗ୍ରାମ ପଂଚାୟତରୁ ମାତ୍ର ୨୧୪୯ଟି ଗ୍ରାମରେ ବ୍ୟାଙ୍କ ଶାଖା ରହିଛି । ବାକି ୪୬୪୯ଟି ଗ୍ରାମ ପଂଚାୟତରେ ବ୍ୟାଙ୍କ ଶାଖା ନାହିଁ । ଏହିସବୁ ପଂଚାୟତରେ ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଟ ଭାବରେ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟ ଜାରି ରହିଛି । ବର୍ତମାନ ସୁଦ୍ଧା ୧୨୬୨ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ନିଯୁକ୍ତି ଦିଆସରିଛି ଏବଂ ଆଉ ୩୫୦୮ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି । ନିଯୁକ୍ତି ପାଇଥିବା ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ତାଙ୍କ ବିଜିନେସ୍ ରେ ସହାୟତା କରିବା ପାଇଁ ପ୍ରାରମ୍ଭିକ ଭାବରେ ସରକାରଙ୍କ ପକ୍ଷରୁ ମାସକୁ ୨୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯାଉଛି ବୋଲି ମିଶନ ଶକ୍ତି ସଚିବ ସୂଚନା ଦେଇଥିଲେ । ଟେକ୍ ହୋମ୍ ରାସନ, ଆହାର, ମାଛ ଚାଷ ଓ କୃଷି ଉତ୍ପାଦକ ଗୋଷ୍ଠୀ ଆଦି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ମାନେ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ଜଣାଯାଇଛି । କୃଷି ବିଭାଗ, ଶକ୍ତି ବିଭାଗ, ମତ୍ସ୍ୟ ଓ ପଶୁସଂପଦ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆଦି ବିଭାଗର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଏହାକୁ ଆହୁରି ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ । ନଗର ଉନ୍ନୟନ ବିଭାଗ ଦ୍ୱାରା ମୁକ୍ତା ଯୋଜନା ଆନ୍ତର୍ଜାତିକ ପୁରସ୍କାର ପାଇଥିବା ବେଳେ ମିଶନ ଶକ୍ତି ଗୋଷ୍ଠୀର ସମଲିଙ୍ଗୀ ମାନଙ୍କୁ କାମ ଯୋଗାଇ ଦେବା କାର୍ଯ୍ୟକ୍ରମ ପାଇଁ ଫିକି ନ୍ୟାସନାଲ ଆୱାର୍ଡ ମିଳିଛି ବୋଲି ସୂଚନା ଦିଆଯାଇଥିଲା । ଯେଉଁ ବିଭାଗ ମାନେ ଏପର୍ଯ୍ୟନ୍ତ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିନାହାନ୍ତି, ସେମାନଙ୍କ ପାଇଁ ଖୁବ ଶୀଘ୍ର ଆଉ ଏକ ସମୀକ୍ଷା ବୈଠକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଚିହ୍ନଟ କରାଯାଇ ମା ମାନଙ୍କୁ କାମ ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦିଆଯାଇଛି ବୋଲି ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ୨୦୧୯ ମଇ ୨୯ରେ ପ୍ରଥମ କ୍ୟାବିନେଟ୍ ବୈଠକରେ ମିଶନ ଶକ୍ତିର ମା ମାନଙ୍କୁ ୫ ବର୍ଷରେ ୫୦୦୦ କୋଟି ଟଙ୍କାର କାମ ଯୋଗାଇ ଦେବା ପାଇଁ ନିଷ୍ପତି କରାଯାଇଥିଲା ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।
