କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳାଇବା ପାଇଁ ଲାଂଚ ନେବା ମାମଲାରେ କିରାଣୀଙ୍କୁ ୪ ବର୍ଷ ଜେଲ ଓ ୧୦ ହଜାର ଜରିମାନା
କନ୍ଧମାଳ : ଜଣେ କର୍ମଚାରୀଙ୍କର ବ୍ୟାଙ୍କ ଆକାଉଣ୍ଟ ବଦଳାଇବାକୁ ତାଙ୍କ ଠାରୁ ୭ ହଜାର ଟଙ୍କା ଲାଂଚ ନେବା ମାମଲାର ଶୁଣାଣୀ କରି ଆଜି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସମରବିଳାସ ବେହେରା ମାମଲାର ସାଖି ଓ ପ୍ରମାଣ ଆଧାରରେ, ମାମଲାର ଅଭିଯୁକ୍ତ, ଫୁଲବାଣୀ ଉଦ୍ୟାନକୃଷି ବିଭାଗର କିରାଣୀ ପ୍ରଦୀøାପ କୁମାର ଚୌଧୁରୀଙ୍କୁ ଦୋଷୀ ସାବ୍ୟସ୍ଥ କରି ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଆଦେଶ ସମେତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ବୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଭି.ଭି. ରାମଦାସ ପରିଚାଳନା କରୁଥିଲେ । ସୁଚନା ଅନୁସାରେ ଫୁଲବାଣୀ ଉଦ୍ୟାନ ବିଭାଗର ତତ୍କାଳୀନ କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀ ଗତ ୨୦୧୮ ମସିହାରେ ଉଦ୍ୟାନକୃଷି ବିଭାଗର କାର୍ଯ୍ୟାଳୟ ରେ କାର୍ଯ୍ୟରତ ସୁନୀଲ କୁମାର ବେହେରାଙ୍କ ଦରମା ଆକାଉଣ୍ଟକୁ ବାଲିଗୁଡାରୁ ଫୁଲବାଣୀ ଆନ୍ଧ୍ର ବ୍ୟାଙ୍କକୁ ସ୍ଥାନାନ୍ତରିତ କରିବା ପାଇଁ କିରାଣୀ ପ୍ରଦୀପ ୭ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ସୁନୀଲ ଏ ନେଇ ଦୁର୍ନୀତି ନିବାରଣ ବିଭାଗର ସହାୟତା ଲୋଡିଥିଲେ । ଭିଜିଲାନ୍ସ ବିଭାଗର ପୁର୍ବ ପ୍ରସ୍ତୁତି ଅନୁସାରେ ପ୍ରଦୀପ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଥିଲେ । ବିଭାଗ ପକ୍ଷରୁ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏ ନେଇ ଏକ ମାମଲା ୪୪/୧୮ ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଭିଜିଲାନ୍ସ ଅଧିକାରୀ ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ଚଢାଉ କରା ଯାଇଥିବା ବେଳେ ମାମଲାର ତଦନ୍ତ ଫୁଲବାଣୀ ଭିଜିଲାନ୍ସ ଡିଏସପି ଆର କେ ସୁନା କରିଥିଲେ ।
