ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠପଢା
ଭୁବନେଶ୍ୱର : ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠପଢା ଆରମ୍ଭ ହୋଇଛି। ପୂର୍ବରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ରାଜ୍ୟ ସରକାର ଦେଇଥିଲେ। ଏଥି ସହିତ ଆଜିଠାରୁ ଛାତ୍ରମାନଙ୍କ ପାଇଁ ହଷ୍ଟେଲଗୁଡିକ ମଧ୍ୟ କାର୍ଯ୍ୟ ଆରମ୍ଭ କରିବ । ଏଥିନେଇ ଏସଓପି ମଧ୍ୟ ଜାରି କରାଯାଇଛି ଏବଂ କୋଭିଡ କଟକଣାକୁ କଠୋର ଭାବରେ ଅନୁସରଣ କରାଯିବ ।
ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ। ଆଜି ନବମ ଶ୍ରେଣୀର ବହୁ ଛାତ୍ରଛାତ୍ରୀ ନିଜନିଜର ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ନେଇ ବିଦ୍ୟାଳୟକୁ ଆସିଛନ୍ତି। ବିଦ୍ୟାଳୟରେ କରୋନା କଟକଣା ମଧ୍ୟରେ ଶିକ୍ଷାଦାନ କରାଯାଉଛି। ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ଆରମ୍ଭ ହୋଇଛି ନବମ ଶ୍ରେଣୀର ପାଠପଢ଼ା । ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସି ଖୁସି ଜାହିର କରିଛନ୍ତି। ତେବେ ରବିବାର ଓ ଅନ୍ୟ ଛୁଟିଦିନରେ ପାଠପଢ଼ା ହେବନାହିଁ । ସ୍କୁଲ ଆସିବା ବାଧ୍ୟତାମୂଳକ ହେବନାହିଁ, ବାପାମାଆଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ। ଅନଲାଇନ ପାଠପଢ଼ା ମଧ୍ୟ ଜାରିରହିବ। ଅଫଲାଇନ କିମ୍ବା ଅନଲାଇନ ମୋଡରେ କ୍ଲାସ କରିପାରିବେ ପିଲା । ସ୍କୁଲ ଓ କ୍ଲାସ ରୁମରେ ସ୍ୱାସ୍ଥ୍ୟ ବିଭାଗ ଓ ଏସଆରସିଙ୍କ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଜଣାଯାଇଛି।
