ବେଆଇନ ପାଣି ଓ ବାଲି ହରିଲୁଟ୍ ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ
ବାଲେଶ୍ୱର : ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ବାଲେଶ୍ୱର ଜିଲା ପକ୍ଷରୁ ମଙ୍ଗଳବାର ବେଆଇନ ପାଣି ଓ ବାଲି ହରିଲୁଟ୍ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଉପଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।
ବିଜେପି ନଦୀ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ଦାବି କରିଛନ୍ତି ଯେ, ଓଡ଼ିଶାରେ ବାଲି ମାଫିଆଙ୍କ ସମେତ ବିଜେଡି ସରକାରଙ୍କର ନେତା, ମନ୍ତ୍ରୀ ଓ ବିଧାୟକ ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ବ୍ୟାପକ ଭାବେ ରାଜ୍ୟର ସମସ୍ତ ନଦୀ ମାନଙ୍କରୁ ବେଆଇନ୍ ଭାବେ ଖୁଲମ୍ଖୁଲା ବେଆଇନ୍ ପାଣି ଓ ବାଲି ହରିଲୁଟ୍ ଚାଲିଛି । ବାଲି ଚୋରା ଚାଲାଣ ଚରମ ସୀମାରେ ପହଞ୍ôଚଛି । ତତ୍ସହିତ କଳକାରଖାନାର ବର୍ଜ୍ୟବସ୍ତୁ ଓ ମଇଳା ପାଣି ନଦୀକୁ ଛଡ଼ା ଯାଉଥିବାରୁ ଓଡ଼ିଶାର ସମସ୍ତ ନଦୀ ପାଣି ପ୍ରଦୂଷିତ ହୋଇଯାଉଛି । ନଦୀ ଅବବାହିକା ତଥା ପଠାକୁ ଜବର ଦଖଲ କରାଯିବା ଫଳରେ ନଦୀର ଗତିପଥ ସଙ୍କୀର୍ଣ୍ଣ ହୋଇ ବନ୍ୟା ସମୟରେ ବନ୍ୟାପାଣି ନିଷ୍କାସନ ନ ହୋଇ ବିପଦ ସୃଷ୍ଟି କରୁଛି । ବାଲି ମାଫିଆମାନଙ୍କୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ମାନେ ସୁରକ୍ଷା ଦେଉଛନ୍ତି । ଚୋରା ବାଲି କାରବାର ଧଳା ଜହର କାରବାରରେ ପରିଣତ ହୋଇଛି । ଯାହା ଫଳରେ ବାଲି ମାଫିଆ ମାନେ ବେଳେ ବେଳେ ଆତଙ୍କରାଜ କରିବା ସହିତ ହତ୍ୟା କରିବାକୁ ପଛାଉ ନାହାନ୍ତି ବୋଲି ବିଜେପି ନେତୃ ମଣ୍ଡଳୀ ଦାବୀ କରିଛନ୍ତି । ଆଗାମୀ ଦିନରେ ଏପରି କଳା କାରବାର ବନ୍ଦ ନ ହେଲେ ବ୍ୟାପକ ଜନ ଆନ୍ଦୋଳନର ଚେତାବନୀ ଦିଆଯାଇଛି । କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ରାଜ୍ୟ ସହ-ସଂଯୋଜକ ଅଜୟ କୁମାର ସାହୁ, ଜିଲା ସଂଯୋଜକ ମହେନ୍ଦ୍ର ଦାସ, ବିଜେପି ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୁଭନା ମହାନ୍ତି, ଜିଲା ଉପସଭାପତି ପ୍ରଦୀପ ପଣ୍ଡା, ଜିଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲା ସମ୍ପାଦକ ପିଙ୍କି ପ୍ରଧାନ, ଆଶିଷ ଘୋଷ, ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ଜିଲା ସହ-ସଂଯୋଜକ ସୁଶାନ୍ତ ବେରା, ବାସୁଦେବ ପଣ୍ଡା, ବସନ୍ତ ବାରିକ, ରାହାସ ବିହାରୀ ଦାସ, ଉତ୍ତମ କୁମାର ପିଳା, ଖିତିଶ କୁମାର ଜେନା, ବିପିନ ମାରାଣ୍ଡି, ଦେବବ୍ରତ ମିଶ୍ର ପ୍ରମୁଖ ନେତୃ ମଣ୍ଡଳୀ ଯୋଗଦେଇ ନିଜ ନିଜର ପ୍ରତିକ୍ରିୟା ରଖିଥିଲେ ।
