ସିଆଇଟିୟୁର ୧୫ଶ ରାଜ୍ୟ ସମ୍ମିଳନୀ ଉଦ୍ଘାଟିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକବିରୋଧୀ ଓ ଜନବିରୋଧୀ ନୀତି ବିରୋଧରେ ଐକ୍ୟବଦ୍ଧ ଆନ୍ଦୋଳନର ଆହ୍ୱାନ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ସମ୍ପିତିକୁ ଆଦାନୀ ଓ ଆମ୍ବାନୀ ଭଳି ନିଜର କର୍ପୋରେଟ ମିତ୍ରମାନଙ୍କୁ ବିକ୍ରି କିରବା ଓ ମାଲିକମାନଙ୍କ ସପକ୍ଷରେ ଶ୍ରମ ଆଇନର ପରିବର୍ତନ ବିରୁଦ୍ଧରେ ବ୍ୟାପକ ଐକ୍ୟବଦ୍ଧ ଆନ୍ଦୋଳନ ଗଢିତୋଳିବା ପାଇଁ ସିଆଇଟିୟୁର ସର୍ବଭାରତୀୟ ସଭାନେତ୍ରୀ ଡଃ କେ ହେମଲତା ଆହ୍ୱାନ ଦେଇଛନ୍ତି । କସ୍ତୁରବା ନାରୀମହଲଠାରେ ଅନୁଷ୍ଠିତ ସାଥୀ ଶିବାଜୀ ପଟ୍ଟନାୟକ ନଗର ଓ ବନମାଳୀ ଧୂପାଳ ମଂଚରେ ଅନୁଷ୍ଠିତ ୧୫ଶ ରାଜ୍ୟ ସମ୍ମିଳନୀକୁ ଉଦ୍ଘାଟନ କରି ସେ ଏଥିପାଇଁ ସିଆଇଟିୟୁର ସଂଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସାଥୀ ଜନାର୍ଦ୍ଦନ ପତି ଓ ସିଆଇଟିୟୁର ରାଜ୍ୟ ଉପସଭାପତି ମାନଙ୍କ ଦ୍ୱାରା ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀକୁ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ସିଆଇଟିୟୁର ପତାକା ଉତୋଳନ ହେବା ସହିତ ସହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ସମୟ ମଧ୍ୟରେ ମୃତ୍ୟୁବରଣ କରିଥିବା ଶ୍ରମିକଶ୍ରେଣୀ ଓ ଗଣତାନ୍ତ୍ରିକ ଆନ୍ଦୋଳନର ନେତୃମାନଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ସମସ୍ତ ନେତୃତ୍ୱ ଓ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଶିଳ୍ପରୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ । ସାଧାରଣ ସମ୍ପାଦକ ସାଥୀ ବିଷ୍ଣୁ ମହାନ୍ତିଙ୍କ ରାଜନୈତିକ, ସାଂଗଠନିକ ଓ ବିଗତ ସମ୍ମିଳନୀ ଠାରୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଓ ଆନ୍ଦୋଳନରତ ରିପୋର୍ଟ ଉପସ୍ଥାପନ କରିଥିଲେ । ସମ୍ମିଳନୀ ଦ୍ୱିତୀୟ ଦିନର ପ୍ରତିନିଧି ଅଧିବେଶନରେ ଇସ୍ପାତ, ବିଦ୍ୟୁତ, ନାଲକୋ, ଏନ୍ଟିପିସି ଆଦି ସଂଗଠିତ ଶିଳ୍ପକୁ ଓ ଅସଂଗଠିତ ଶିଳ୍ପର ଠିକା ଶ୍ରମିକ ୟୁନିୟନ / ସ୍କିମ ଶ୍ରମିକ ୟୁନିୟନର ପ୍ରତିନିଧିମାନେ ସାଧାରଣ ସମ୍ପାଦକଙ୍କ ରିପୋର୍ଟ ଉପରେ ଆଲୋଚନା କରିଥିଲେ । ସମ୍ମିଳନୀରେ ସାମ୍ପ୍ରଦାୟିକ ବିଦ୍ୱେଷ ବିରୁଦ୍ଧରେ ବ୍ୟାପକ ପ୍ରଚାର ଅଭିଯାନ କରିବା, ୪ଟି ଶ୍ରମ କୋଡ୍ ପ୍ରତ୍ୟାହାର କରିବା, ଦରବୃଦ୍ଧି ବନ୍ଦ କରିବା, ବେକାରୀ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକାରୀ ପଦକ୍ଷେପ ସହିତ ନିଯୁକ୍ତି ସୁଯୋଗ ଦେବା, ଶ୍ରମିକ-କୃଷକମାନଙ୍କ ମିିଳିତ ପାର୍ଲାମେଂଟ ଅଭିଯାନକୁ ସଫଳ କରିବା, ମହିଳାମାନଙ୍କୁ ସାମାଜିକ ନିରାପତା ଦେବା ଆଦି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ୟୁନିୟନ ମାନଙ୍କରୁ ୫ ଶହରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଛନ୍ତି । ଆସନ୍ତା ୨୯ ତାରିଖ ଶେଷ ଦିନରେ କେନ୍ଦ୍ର ସରକାରଙ୍କ କର୍ପୋରେଟ ସାମ୍ପ୍ରଦାୟିକ ଗଠବନ୍ଧନ ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରିବାକୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ରାଜ୍ୟରେ ସମସ୍ତ ଅପହଂଚ ଶ୍ରମିକମାନଙ୍କ ପାଖରେ ପହଂଚିବା ଓ ସରକାରଙ୍କ ନୀତି ପଛରେ ନିହତ ରାଜନୀତିକୁ ଉନ୍ମୋଚିତ କରିବା ପାଇଁ ସିଆଇଟିୟୁ ସମ୍ମିଳନୀ ସ୍ଥିର କରିଛି । ଅପ୍ରେଲ ୫, ୨୦୨୩ରେ ପାର୍ଲାମେଂଟର ବଜେଟ ଅଧିବେଶନ ସମୟରେ ଶ୍ରମିକ-କୃଷକମାନଙ୍କ ଦିଲ୍ଲୀ ଅଭିଯାନ ପାଇଁ ଡ଼ାକରା ଦିଆଯାଇଛି ।
