କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ମୋରିସ
ଜୋହାନ୍ସବର୍ଗ: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଦକ୍ଷିଣ ଆଫ୍ରିକା ଅଲ୍-ରାଉଣ୍ଡର କ୍ରିସ୍ ମୋରିସ । ୩୪ ବର୍ଷୀୟ ମୋରିସ ମଙ୍ଗଳବାର କ୍ରିକେଟକୁ ବିଦାୟ କହିଛନ୍ତି । କ୍ୟାରିୟରର ଶେଷ ଭାଗରେ ଆହତ ସମସ୍ୟାରେ ସଂଘର୍ଷ କରିଥିବା ମୋରିସ ଶେଷରେ ନିଜର କ୍ରିକେଟ କ୍ୟାରିୟରକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେ ଦକ୍ଷିଣ ଆଫ୍ରିକୀୟ ଘରୋଇ କ୍ରିକେଟ ଟିମ ଟାଇଟାନ୍ସର କୋଚିଂ ଷ୍ଟାଫ୍ ଭାବେ ନଜର ଆସିବେ ।
୨୦୨୧ରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା କ୍ରିସ ମୋରିସ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅବସରକାଳୀନ ବାର୍ତ୍ତାରେ ମୋରିସ ଲେଖିଛନ୍ତି, “କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରୁଛି। ମୋ କ୍ରିକେଟ ଯାତ୍ରାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ । ଟାଇଟାନ୍ସର କୋଚ୍ ଭୂମିକା ନିଭାଇବାକୁ ଉତ୍ସାହିତ ।”
ମୋରିସ ମୋଟ୍ ୪ଟି ଟେଷ୍ଟ, ୪୨ଟି ଅନ୍ତର୍ଜାତୀୟ ଦିନିକିଆ ଓ ୨୩ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏଥିସହ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ), ଦିଲ୍ଲୀ ଡେୟାରଡେଭିଲ୍ସ(ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ), ରାଜସ୍ଥାନ ରୟାଲ୍ସ (ଆରର) ଓ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟିମ ପାଇଁ ଖେଳିଛନ୍ତି । ବର୍ଷ ୨୦୧୯ରେ ଇଂଲଣ୍ଡରେ ଖେଳାଯାଇଥିବା ଦିନିକିଆ ବିଶ୍ବକପରେ ସେ ଶେଷ ଥରପାଇଁ ଦକ୍ଷିଣ ଆଫ୍ରିକା ପାଇଁ ଖେଳିଥିଲେ । ଆଇପିଏଲ ନିଲାମରେ ସେ ଥିଲେ ସବୁଠୁ ମହଙ୍ଗା ଖେଳାଳି । ୨୦୨୧ ଆଇପିଏଲ ନିଲାମରେ ରାଜସ୍ଥାନ ରୟାଲ୍ସ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଥିଲା । ମୋରିସଙ୍କ ସନ୍ୟାସ ଘୋଷଣା ପରେ ସାଥୀ ଖେଳାଳି ଡେଲ୍ ଷ୍ଟେନ ତାଙ୍କୁ ସଫଳ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଭବିଷ୍ୟତର ଅଭିନନ୍ଦର ଜଣାଇଛନ୍ତି । ସେହିପରି ୱେଷ୍ଟଇଣ୍ଡିଜ କ୍ରିକେଟର କାର୍ଲୋସ ବ୍ରାଥୱେଟ୍ ମଧ୍ୟ ନୂଆ ଆରମ୍ଭ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
