ମିଛକୁ ସତ ପ୍ରମାଣିତ କରିବାକୁ ଚାହୁଁଛି ଚୀନ: ସ୍ଥଳସେନା ମୁଖ୍ୟ
ନୂଆଦିଲ୍ଲୀ : ଚଳିତ ମାସ ଆରମ୍ଭରେ ଗଲଓ୍ବାନରେ ଚୀନ ସେନା ଜାରି କରିଥିବା ଭିଡିଓ ଉପରେ ବୟାନ ରଖିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ। ସେ କହିଛନ୍ତି ଯେ ଏପରି ଭିଡିଓ ଜାରି କରି ସେମାନେ ମିଛକୁ ସତ ପ୍ରମାଣିତ କରିବାକୁ ଚାହୁଁଛନ୍ତି । କିନ୍ତୁ ଆମ କ୍ଷମତା ଉପରେ ଆମର ଭରସା ରହିଛି । ଆମକୁ କୌଣସି ଘଟଣାକୁ ବଢେଇ ଚଢେଇ କହିବାକୁ ଚାହୁଁନାହୁଁ। ତେବେ ଏହା ଏକ ପୁରୁଣା ଭିଡିଓ ଓ ଏହା ସମ୍ପର୍କରେ ବିଶେଷଜ୍ଞମାନେ ନିଜର ମତ ଦେଇସାରିଛନ୍ତି।
ପେଙ୍ଗୋଙ୍ଗ ହ୍ରଦ ଉପରେ ଚୀନର ପୋଲ ନିର୍ମାଣ ସମ୍ପର୍କରେ ସେ କହିଛନ୍ତି ଯେ ଚୀନ ନିଜ ଅଞ୍ଚଳରେ ଏହା ନିର୍ମାଣ କରୁଛି। କିନ୍ତୁ ଭାରତୀୟ ସେନା ଏହା ଉପରେ ତୀକ୍ଷଣ ଦୃଷ୍ଟି ରଖିଛି। ଇଂରାଜୀ ଟିଭି ଚ୍ୟାନେଲ ଟାଇମ୍ସ ନାଓକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଚୀନ ଦ୍ବିପାକ୍ଷିକ ଚୁକ୍ତିଗୁଡ଼ିକୁ ଠିକଭାବେ ପାଳନ କରୁନାହିଁ। ଏହି କାରଣରୁ ସୀମାରେ ଏସବୁ ବିବାଦ ଦେଖାଦେଉଛି। କିନ୍ତୁ ଦୁଇପକ୍ଷ ମଧ୍ୟରେ ଭରସା ଫେରାଇ ଆଣିବାକୁ ଆଲୋଚନା ମାଧ୍ୟମରେ ଉଦ୍ୟମ ଜାରି ରହିଛି। ଅରୁଣାଚଳ ପ୍ରଦେଶର କେତେକ ସ୍ଥାନର ମାଣ୍ଡାରିନ ଭାଷାରେ ନାମକରଣ ସମ୍ପର୍କରେ ସେନାମୁଖ୍ୟ କହିଛନ୍ତି ଯେ ଚୀନ ନିଜକୁ ଅସୁରକ୍ଷିତ ମନେ କରୁଥିବାରୁ ଏପରି କରୁଛି। କିନ୍ତୁ ଆମେ ପୂର୍ବରୁ ଯେଉଁଠାରେ ଥିଲୁ, ଏବେ ସେଠାରେ ଅଛୁ, କୌଣସି ଅଞ୍ଚଳ ହରାଇବାର ପ୍ରଶ୍ନ ଉଠୁନାହିଁ ବୋଲି ସେନାମୁଖ୍ୟ ନରଓ୍ବାଣେ କହିଛନ୍ତି।
