କୋର୍ଟରେ ହାଜର ହେଲେ ଚିଲିକା ବିଧାୟକ, ମିଳିଲାନି ଜାମିନ
ଟାଙ୍ଗୀ : ବାଣପୁର କୋର୍ଟରେ ହାଜର ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଣପୁର ଥାନା କେସ ନଂ ୮୧/୨୨ର ବାଣପୁର କୋର୍ଟରେ ବିଚାର ହେଉଥିବା ଯୋଗୁଁ ଗିରଫ ହୋଇ ବାଣପୁର ସବ୍-ଜେଲରେ ଥିବା ଚିଲିକା ବିଧାୟକ ବାଣପୁର କୋର୍ଟରେ ହାଜର ହୋଇଥିଲେ । ଜାମିନ ଆବେଦନକୁ ଅଗ୍ରାହ୍ୟ କଲେ କୋର୍ଟ । ଫଳରେ ନିରାଶ ହୋଇ ଫେରିବାକୁ ପଡିଛି ।
ଖୋର୍ଦ୍ଧା ଜିଲାର ବାଣପୁର ଥାନା ଅଧିନସ୍ଥ ଭେଟେଶ୍ୱର ଗାଁରେ ଏକ ମାରପିଟ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସଂପୃକ୍ତ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ବିଚାର ହେଉଥିବା ଯୋଗୁଁ ଚିଲିକା ବିଧାୟକଙ୍କୁ ଆଜି ଜେଲରୁ ଆଣି ବାଣପୁର କୋର୍ଟରେ ହାଜର କରାଯାଇଥିଲା । ମାତ୍ର ଆଜି ମଧ୍ୟ ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ମାନ୍ୟବର ଅଦାଲତ ଅଗ୍ରାହ୍ୟ କରିଛନ୍ତି ।
ସୂଚନା ଥାଉକି, ଗତ ମାର୍ଚ୍ଚ ୧୨ ତାରିଖରେ ବିଧାୟକଙ୍କ ଦବଙ୍ଗି ଆଚରଣ ଦେଖାଦେଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଜେପି କର୍ମିଙ୍କ ଉପରକୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ କାବୁ କରି ନିର୍ଧୁମ ପିଟିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ବିଧାୟକଙ୍କୁ ଭୁବନେଶ୍ବରର ହସ୍ପିଟାଲରେ ଭର୍ତ୍ତି କରାଇଥିଲା ପୋଲିସ । ସେଠାରେ ୧୦ ଦିନ ଧରି ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ପରେ ବାଣପୁର ପୋଲିସ ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ବର କୋର୍ଟରେ ହାଜର ପରେ ପ୍ରଶାନ୍ତ ଜଗଦେବଙ୍କୁ ନିଆଯାଇଥିଲା ବାଣପୁର କୋର୍ଟ। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
