ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ, ଦାଣ୍ଡରେ ପଡି ହାଟରେ ଗଡ଼ିଲା ପୂର୍ବତନ ବିଧାୟକଙ୍କ କୁଶ ପୁତଳିକା ଦାହ
ଖୋର୍ଦ୍ଧା : ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଉଗ୍ରରୂପ ନେଲା ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ । ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବିରୁଦ୍ଧରେ ଦଳୀୟ ନେତାମାନେ ମଙ୍ଗଳବାର ରଣ ହୁଙ୍କାର ଦେଇଛନ୍ତି । ପୂର୍ବତନ ବିଧାୟକଙ୍କ ବିରୋଧରେ ଆଜି ଚିଲିକାରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଏପରିକି ଦଳରୁ ବହିଷ୍କାର କରିବା ପାଇଁ କର୍ମୀମାନେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଚିଲିକା ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଚିଲିକା ବିଧାୟକ, ଜିଲ୍ଲା ପରିଷଦ ଉପସଭାପତି, ସାଂସଦ ପ୍ରତିନିଧି ଏବଂ ଅନ୍ୟ ଦଳୀୟ ନେତାଙ୍କ ବିରୁଦ୍ଧରେ ବିସ୍ଫୋରକ ବୟାନ ଦେଇଥିଲେ । ଫଳରେ ରାଜ୍ୟ ରାଜନୀତିରେ ଭୂକମ୍ପନ ସୃଷ୍ଟି ହୋଇଥିଲା । ସେ ସିଧାସଳଖ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦୁର୍ନୀତିଗ୍ରସ୍ତ ବିଧାୟକ କହିବା ସହ ତାଙ୍କୁ ୫ ପ୍ରତିଶତ ପିସି ନଦେଲେ କିଛି କାମ ହେଉନି ବୋଲି କହିଥିଲେ । ସେହିପରି ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ସାଂସଦ ପ୍ରତିନିଧି ମାନସ ପ୍ରଧାନଙ୍କ ବିରୁଦ୍ଧରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ତେବେ ଏହାର ଜବାବରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ମଙ୍ଗଳବାର ବାଲୁଗାଁରେ ଏକ ପ୍ରତିବାଦ ଶୋଭାଯାତ୍ରା ବାଲୁଗାଁରେ ଦେଖିବାକୁ ମିଳିଥିଲା । ଏଥିରେ ଶତାଧିକ ବିଜେଡି କର୍ମୀ ସ୍ଥାନୀୟ ମା’ ଉତରାୟଣୀ ମନ୍ଦିର ନିକଟରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ । ପରେ ସେଠାରେ ରଘୁନାଥ ସାହୁଙ୍କୁ ବିଜେଡିରୁ ବହିଷ୍କାର ଦାବି କରିବା ସହିତ କୁଶ ପୁତଳିକା ଦାହ କରିଥିଲେ । ତେବେ ରଘୁନାଥ ସାହୁ ବିଜେପିର ଏଜେଂଟ ଭାବେ କାମ କରୁଛନ୍ତି ।ଏପରିକି ଦଳବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଗୋପୀନାଥ ସିଧାସଳଖ ରଘୁନାଥଙ୍କ ବିରୋଧରେ କହିଥିଲେ । ଅନୁରୂପ ଭାବେ ଗୋପୀନାଥ ନିଜ ପରିବାରବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବାର ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ପୂର୍ବତନ ବିଧାୟକ ଏହାର ପ୍ରମାଣ ଦେଇଦେଲେ ଗୋପୀନାଥ ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଥିଲେ । ସେହିପରି ଭାବେ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ମଧ୍ୟ ପୂର୍ବତନ ବିଧାୟକଙ୍କ ଉପରେ ବର୍ଷିଥିଲେ । ଉକ୍ତ ପ୍ରତିବାଦ ଶୋଭାଯାତ୍ରାରେ କିଛି ତୁଙ୍ଗ ବିଜେଡି ନେତା ଉପସ୍ଥିତ ଥିଲେ । ହେଲେ ରୋଚକ ଘଟଣା ଦେଖିବାକୁ ମିଳିଥିଲା ଏହି ଶୋଭାଯାତ୍ରା ଓ କୁଶପୁଳିକା ଦାହ ସମୟରେ ବାଣପୁର ଓ ବାଲୁଗାଁ ଏନଏସିର ଅଧ୍ୟକ୍ଷଙ୍କ ଅନୁପସ୍ଥିତି ନେଇ । ଏନେଇ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଯୋଗାଯୋଗ କରିବା ପରେ ସେ କହିଥିଲେ ଯେ, ଆସନ୍ତାକାଲି ଚିଲିକା ବ୍ଲକ ବିଜେଡି କର୍ମୀ ସମ୍ମିଳନୀରେ ସେ ଉକ୍ତ ପ୍ରତିବାଦ ଶୋଭାଯାତ୍ରାର ଉତର ଦେବେ ।
