ନାବାଳିକା ଅପହରଣ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ
ବାଲେଶ୍ୱର : ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ (ପୋକ୍ସ) କୋର୍ଟରେ ଶୁକ୍ରବାର ଏକ ନାବାଳିକା ଅପହରଣ ମାମଲାର ବିଚାର କରି ବିଚାରପତି ରଞ୍ଜନ କୁମାର ସୁତାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।
ସୂଚନା ଯେ, ଖନ୍ତାପଡ଼ା ଥାନା ଅଧୀନସ୍ତ ତାଳପଦା ଗ୍ରାମର ଏକ ୧୪ ବର୍ଷୀୟ ନାବାଳିକା ଗତ ୨୦୧୯ ଜୁନ୍ ୨୪ ତାରିଖରେ ସ୍କୁଲ ଯିବା ସମୟରେ ଉକ୍ତ ଗ୍ରାମର ବୁଧିଆ ମହାଳିକ ତାଙ୍କୁ ଅପହରଣ କରି ନେଇଥିଲା । ପରେ ମା’ଙ୍କ ସହାୟତାରେ ବୁଧିଆ ଉକ୍ତ ନାବାଳିକାକୁ ନେଇ ଗାଁ ଛାଡ଼ି ବାହାରକୁ ପଳାଇଥିଲେ । ଏନେଇ ନାବାଳିକାର ବାପା ଗୋପାଳପୁର ଫାଣ୍ଡିରେ ଜଣାଇଥିଲେ । ସେଠାରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ (ନଂ. ୧୯୧ ।୨୦୧୯) ନିଖୋଜ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପରେ ଉକ୍ତ ମାମଲା ଅପହରଣ କରାଯାଇଥିବାର ସ୍ପଷ୍ଟ ହୋଇଥିଲା । ଏହି ମାମଲାକୁ ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ (ପୋକ୍ସ) ରଞ୍ଜନ କୁମାର ସୁତାର ୧୧ ଜଣ ସାକ୍ଷ୍ୟ ଓ ୨୧ ଦସ୍ତାବିଜ୍ ମୂଳେ ଅଭିଯୁକ୍ତ ବୁଧିଆ ମହାଳିକକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ ।
