ପୋଷଣ ଅଭିଯାନ ପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟରେ ପୋଷଣ ଅଭିଯାନକୁ ପୂର୍ଣ୍ଣ ଫଳପ୍ରଦ କରିବା ପାଇଁ ପ୍ରଶାସନିକ ପ୍ରଚେଷ୍ଠା ଆରମ୍ଭ ହୋଇଛି । ଏଥି ପାଇଁ ଲକ୍ଷ୍ୟଭେଦୀ ଏବଂ ସଂଯୋଜିତ କାର୍ଯ୍ୟକ୍ରମ ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଅନ୍ୟ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଶିଶୁ, ଗର୍ଭବତୀ ମହିଳା, ପ୍ରସୂତୀ ଏବଂ କିଶୋରୀ ମାନଙ୍କ ପୁଷ୍ଟି ସାଧନ ଓ ସ୍ୱାସ୍ଥ୍ୟ ଯତ୍ନ ନିମନ୍ତେ ଏକ ବ୍ୟାପକ କାର୍ଯ୍ୟ- ଖସଡା ପ୍ରସ୍ତୁତ କରାଯିବ । ଶିଶୁ ଗେଡାପଣ, ପୁଷ୍ଟିହୀନତା ଓ ରକ୍ତହୀନତା ରୋକିବା ସହ ମାତୃ ସ୍ତନ୍ୟପାନ, ଶୁଦ୍ଧ ପାନୀୟ ଜଳ, ପରିମଳ, କୃମିନାଶ, ଟୀକାକରଣ, ଭିଟାମିନ୍ ବଟିକା ଗ୍ରହଣକୁ ପ୍ରୋତ୍ସାହିତ କଲାଭଳି ଲକ୍ଷ୍ୟଭେଦୀ କାର୍ଯ୍ୟାନୁଷ୍ଠାନ ଖସଡା ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଓ ଶିଶୁ ଗେଡାପଣ ବାର୍ଷିକ ଦୁଇ ପ୍ରତିଶତ ହ୍ରାସସହ ୫ ବର୍ଷ ବୟସରୁ କମ୍ ଶିଶୁ, କିଶୋରୀ, ଓ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ବାର୍ଷିକ ତିନି ପ୍ରତିଶତ ହ୍ରାସ ନିମନ୍ତେ ବୌଠକରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟ,ଘର ପଛପଟ ବଗିଚା, କମ୍ୟୁନିଟ୍ କେନ୍ଦ୍ର ପରିପାର୍ଶ୍ୱରେ ପନିପରିବା ଚାଷ ଏବଂ ନର୍ସରୀ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ନରେଗା ପାଣ୍ଠି ବିନିଯୋଗରେ ସଜନା, କଦଳୀ ଆଦି ପୁଷ୍ଟି ଯୁକ୍ତ ଫଳ ଓ ପନିପରିବା ଚାରା ରୋପଣ କରିବା ସହ ଲୋକମାନଙ୍କୁ ନିଜ ନିଜର ଘରବାଡିରେ ଲଗାଇବା ପାଇଁ ବଂଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହିଭଳି ୧୦ ରୁ ୧୫ ଟି ପୁଷ୍ଟିଯୁକ୍ତ ବୃକ୍ଷ ତାଲିକାଭୁକ୍ତ କରିବାପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ରକ୍ତହୀନତା ଓ ଗେଡାପଣର ଆକ୍ରାନ୍ତ ଶିଶୁ ଓ ମହିଳାମାନଙ୍କର ସବିଶେଷ ତଥ୍ୟ ସଂଗ୍ରହ ସହ ବ୍ଲକ୍, ଜିଲ୍ଲା ଏବଂ ପଂଚାୟତସ୍ତରରେ ସମନ୍ୱିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସଂପର୍କରେ ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସବିଶେଷ ସୂଚନା ଦେଇଥିଲେ । ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସହ ଆଧାର ନମ୍ବର ସଂଯୋଗ କରାଯାଉଛି । ସେମାନଙ୍କ ସହ ଅଙ୍ଗନୱାଡ଼ି କର୍ମୀମାନେ ନିରନ୍ତର ଯୋଗାଯୋଗରେ ରହି ସମସ୍ୟାର ନିରାକରଣ ନିମନ୍ତେ କାର୍ଯ୍ୟକରିବେ ବୋଲି ଶ୍ରୀମତୀ ଶର୍ମା କହିଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
