ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଙ୍ଗଳାଯୋଡି ଗସ୍ତ
ଖୋର୍ଦ୍ଧା : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଙ୍ଗଳବାର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ଗସ୍ତ କରିଥିଲେ । ମଙ୍ଗଳାଯୋଡି ଜେଟିରେ ପହଂଚିବା ପରେ କାତ ମରା ଡଙ୍ଗାରେ ଶ୍ରୀ ମହାପାତ୍ର ପକ୍ଷୀ ଅଭୟାରଣ୍ୟ ବୁଲିବା ସହିତ ବିଭିନ୍ନ ଜାତିର ବିଦେଶାଗତ ପକ୍ଷୀମାନଙ୍କୁ ଅତି ନିକଟରୁ ଦେଖିଥିଲେ ଶ୍ରୀ ମହାପାତ୍ର । ପରେ ମୁଖ୍ୟ ଶାସନ ସଚିବ ଭିତିଭୁମିର ସମୀକ୍ଷା କରିଥିଲେ । ଶୀତ ଦିନେ ପକ୍ଷୀ ଦେଖିବା ପାଇଁ ମଙ୍ଗଳା ଯୋଡିକୁ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ପର?୍ୟ୍ୟଟକ ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗକୁ ନେଇ ସମୀକ୍ଷା କରିଥିଲେ । ମଙ୍ଗଳାଯୋଡି ଲେବଲ୍ କ୍ରସିଂ ଠାରୁ ଜେଟି ପର୍ଯ୍ୟନ୍ତ ଥିବା ରାସ୍ତାର ଉନ୍ନତିକରଣ , ଜେଟି ଠାରେ ପର୍ଯ୍ୟଟକମାନଙ୍କ ଗାଡି ପାର୍କିଂ ପାଇଁ ସୁବ୍ୟବସ୍ଥା, ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।ଏପରିକି ମଙ୍ଗଳା ଯୋଡିକୁ କିପରି ଭାବରେ ଉନ୍ନତି କରାଯାଇ ପାରିବ ସେ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ୍ଥାନୀୟ ଗାଇଡ୍, ପକ୍ଷୀ ସୁରକ୍ଷା ସଂଗଠନ କର୍ମକର୍ତାଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ମଙ୍ଗଳାଯୋଡି ଗସ୍ତ ସମୟରେ ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ବାଲୁଗାଁ ବନ୍ୟ ପ୍ରାଣୀ ଡ଼ିଏଫଓ ରାମସ୍ୱାମୀ, ଏ ସି ଏଫ ପ୍ରଶାନ୍ତ କୁମାର ପଣ୍ଡା, ଟାଙ୍ଗୀ ତହସିଲଦାର ଜନ୍ମେଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
