ସହରାଂଚଳ-ଜଙ୍ଗଲର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ସୁସ୍ଥ ଓ ବିକଶିତ ଜୀବନ ପାଇଁ ସହରାଂଚଳ-ଜଙ୍ଗଲର ପ୍ରତିଦାନ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ନିମନ୍ତେ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୋର୍ଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୋର୍ଡର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମୀକ୍ଷାକରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭିନ୍ନ ଶିଳ୍ପାଂଚଳ ଓ ସହରରେ ପ୍ରଦ୍ୟୁଷଣ ମୁକ୍ତ ସ୍ୱଚ୍ଛ-ବାୟୁ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ସହରାଂଚଳ-ଜଙ୍ଗଲ ସ୍ୱଚ୍ଛ ବାୟୁ, ଭୁତଳ ଜଳସ୍ତର ଏବଂ ସୁସ୍ଥ ଜୀବନ ଧାରଣ ନିମନ୍ତେ ବହୁଭାବେ ସହାୟକ ହୋଇଥାଏ । ଭୁବନେଶ୍ୱରରେ ଥବା ଭରତପୁର ଅଭୟାରଣ୍ୟ, ଏକାମ୍ର କାନନ, ଜୟଦେବ ବାଟିକା ଏବଂ ଚନ୍ଦକା ଜଙ୍ଗଲ ରେଞ୍ଜ ଭୁବନେଶ୍ୱର ସହର ପାଇଁ ବରଦାନ ସଦୃଶ ।
ହୀରାକୁଦ ଜଳଭଣ୍ଡାର ନିକଟରେ ଥିବା ଆଲୁମିନିୟମ୍ ପ୍ଲାଂଟରୁ ନିର୍ଗତ ଫ୍ଲୋରାଇଡ୍ ଯେପରି ଜଳଭଣ୍ଡାର ମଧ୍ୟକୁ ନଯାଏ ତାହା ଉପରେ ସତର୍କ ଦୃଷ୍ଟିରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ଶିଳ୍ପ ମାନଙ୍କରୁ ନିର୍ଗମିତ ଫ୍ଲୋରାଇଡର ବୈଜ୍ଞାନିକ ବିଘଟନ ସଂପୃକ୍ତ ଶିଳ୍ପସଂସ୍ଥାର ପରିସର ମଧ୍ୟରେ ନିଶ୍ଚିତ କରାଇବା ପାଇଁ କହିଥିଲେ । ଫ୍ଲୋରାଇଡ୍ ବିଘଟନ ପ୍ରକ୍ରିୟାରେ ଯେପରି ଭୁତଳ ଜଳ ସଂକ୍ରମିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ଶ୍ରୀ ମହାପାତ୍ର ଶିଳ୍ପ ସଂସ୍ଥା ଏବଂ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ-ବାୟୁ ଯୋଜନା ଏବଂ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଅଂଚଳମାନଙ୍କରେ ପରିବେଶ ପରିମାପକ ଜିଓ ଡାଟାବେସ୍ ପ୍ରସ୍ତୁତି ସମ୍ବନ୍ଧିତ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଏକାମ୍ର କ୍ଷେତ୍ର ସ୍ୱଚ୍ଛ-ବାୟୁ କାର୍ଯ୍ୟଯୋଜନାରେ ସର୍ବନିମ୍ନ ନିର୍ଗମନ ଜୋନ୍ (ଲେସ୍ ଏମିସନ୍ ଜୋନ୍) ପଦ୍ଧତି ପ୍ରୟୋଗ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଭୁବନେଶ୍ୱର ମହାନଗର ନିଗମ, ପ୍ରଦ୍ୟୁଷଣ ବୋର୍ଡ, ପୁର୍ତ ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କୁ ସକ୍ରିୟଭାବେ ସାମିଲ୍ କରାଇ ଏହି ଯୋଜନାର କାର୍ଯ୍ୟାନ୍ୱୟନକୁ ଅଧିକ ସହଭାଗୀ-ଭିତିକ ଓ ଲକ୍ଷଭେଦୀ କରାଇବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବୋର୍ଡର ସଦସ୍ୟ ସଚିବ ଡଃ ମୁରୁଗେସାନ୍ ଜଣାଇଥିଲେ ଯେ ତାଳଚେର ସହର ପାଇଁ ପ୍ରାକୃତିକ ପରିବେଶ ମାପକ ଜିଓ-ଡାଟାବେସ୍ ପ୍ରସ୍ତୁତ କରିଛି । ଏହି ବ୍ୟବସ୍ଥାକୁ ଶିଘ୍ର ରାଉରକେଲା, କେନ୍ଦୁଝର, ବାଲେଶ୍ୱର, କଳିଙ୍ଗନଗର ଓ ଅନୁଗୁଳ ଶିଳ୍ପାଂଚଳମାନଙ୍କରେ ପ୍ରୟୋଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ତ୍ୱରିତ ନିଷ୍ପତି ଏବଂ କାର୍ଯ୍ୟାନ୍ୱୟନ ନିମନ୍ତେ ବୋର୍ଡର ଆଂଚଳିକ କାର୍ଯ୍ୟାଳୟମାନଙ୍କୁ ଅଧିକ କ୍ଷମତା ବିକେନ୍ଦ୍ରୀକରଣ ପ୍ରସ୍ତାବ ମଧ୍ୟ ବୈଠକରେ ଅନୁମୋଦିତ ହୋଇଥିଲା । ପରିବେଶ ନିର୍ଦ୍ଦେଶକ ସୁକାନ୍ତ ନନ୍ଦ, ବ୍ରଏଲର ଏବଂ ଫ୍ୟାକ୍ଟ୍ରିଜ ନିର୍ଦ୍ଦେଶକ ଡଃ ଏନ୍. ଥିରୁମାଲା ନାୟକ, ପ୍ରଦ୍ୟୁଷଣ ବୋର୍ଡ ସଦସ୍ୟ ସଚିବ ଡଃ କେ. ମୁରୁଗେସାନ୍, ବିଶେଷଜ୍ଞ ସଦସ୍ୟ ଡଃ ଅଜିତ୍ ପଟ୍ଟନାୟକ, ପ୍ରଫେସର ଅତନୁ ପତି, ଡଃ ଜି.କେ. ରାୟଙ୍କ ସହ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
