ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଓଡ୍ରାଫ୍, ଏନ୍.ଡି.ଆର.ଏଫ୍ ଓ ଅଗ୍ନିଶ୍ରମ ସେବା ସଂସ୍ଥା ଟିମ୍ ପ୍ରସ୍ତୁତ
ପାଚିଲା ଫସଲ, ପରିବାପତ୍ର ଅମଳକରି ନିରାପଦ ସ୍ଥାନକୁ ନେବାକୁ ପରାମର୍ଶ
ବାତ୍ୟା ପାଇଁ ୧୦୮ ଓଡ୍ରାଫ ଟିମ୍ ଓ ୨୦୦ ଅଗ୍ନିଶମ ବାହିନୀ ଦଳ ପ୍ରସ୍ତୁତ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଯୋଗୁଁ ଯେ କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉପକୂଳବର୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନ୍େଫରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଯାଜପୁର, ଢ଼େଙ୍କାନାଳ, ଗଜପତି, କଟକ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସେମାନଙ୍କ ପ୍ରସ୍ତୁତି ବିଷୟରେ କଥା ହୋଇଥିଲେ । ତିନି ତାରିଖ ବେଳକୁ ବାତ୍ୟାର ଗତିପଥ ଜଣାପଡ଼ିବା ପରେ ତଳୁଆ ଏବଂ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବା, ସମସ୍ତ ବହୁମୁଖ୍ୟ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ କରିବା, ଆଶ୍ରୟସ୍ଥଳ ପରିଚାଳନା ଟିମ୍ଙ୍କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବା, ଶୁଖିଲା ଖାଦ୍ୟ ଏବଂ ରିଲିଫ୍ ପଦାର୍ଥର ଉପଲବ୍ଧି ବିଷୟରେ ସଜାଗ ରହିବା, ମାଇକ୍ ପ୍ରଚାର ମାଧ୍ୟମରେ ଲୋକ ମାନଙ୍କୁ ଆଗୁଆ ସୂଚନାଦେବା, ଆସନ୍ନପ୍ରସବା ମହିଳା ଏବଂ ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ ଆଗୁଆ ନିରାପଦସ୍ଥାନକୁ ନେବା ଆଦି ନିମନ୍ତେ ସଠିକ୍ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
‘ଜୱାଦ୍’’ ପ୍ରଭାବରେ ଭୀଷଣ ବର୍ଷାହେବାର ସମ୍ଭାବନା ଥିବାରୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ସହରାଂଚଳରେ ବର୍ଷାଜଳ ନିଷ୍କାସନ ନାଳ ସବୁକୁ ସଫା କରିବାସହ ସମ୍ବେଦନଶୀଳ ଖାଲୁଆ ସ୍ଥାନମାନଙ୍କରେ ପାଣି ନିଷ୍କାସନ ପମ୍ପ୍ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଦିଆଯାଇଥିବା ପରାମର୍ଶ ଗୁଡ଼ିକୁ କୃଷକମାନଙ୍କ ନିମନ୍ତେ ବ୍ୟପକଭାବେ ମାଇକ୍ରେ ପ୍ରଚାର କରିବା ପାଇଁ ଶ୍ରୀ ମହାପତ୍ର ନିର୍ଦ୍ଦେଶ ଦେଇଥିଲେ । ପାଚି ଯାଇଥିବା ଫସଲ ଏବଂ ପରିପକ୍ୱ ପନିପରିବା ଆଦିକୁ ଆଗୁଆ ଅମଳକରି ନିରାପଦ ସ୍ଥାନକୁ ଆଣିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ୍ ପ୍ରଦୀପ କୁମାର ଜେନା କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଜୱାଦ୍ ଆସନ୍ତା ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତର ଆନ୍ଧ୍ରପ୍ରଦେଶ ର ନିକଟବର୍ତୀ ସମୁଦ୍ରରେ ପହଂଚିବ । ଫଳରେ ୩ ତାରିଖ ସକାଳୁ ଓଡ଼ିଶା ଉପକୂଳ ନିକଟବର୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ୭୦-୯୦ କି.ମି. ପବନ ବହିବାର ପୂର୍ବାନୁମାନ କରାଯାଇଛି । ତେବେ ଆସନ୍ତାକାଲି ଭାରତୀୟ ପାଣିପାଗ ବିଭାଗଙ୍କ ତରଫରୁ ବାତ୍ୟାର ଗତିପଥ ଓ ପବନର ଗତି ବିଷୟରେ ଅଧିକ ସୂଚନା ମିଳିବ । ଇତି ମଧ୍ୟରେ ଓଡ୍ରାଫ୍, ଏନ୍.ଡି.ଆରଏଫ୍. ଏବଂ ଫାୟାର ସର୍ଭିସ୍ ଟିମ ମାନଙ୍କୁ ପ୍ରସ୍ତୁତ କରାଯାଇଛି । ପ୍ରାୟ ୧୦୮ ଓଡ୍ରାଫ୍ ଓ ଏନ୍.ଡି.ଆର.ଏଫ୍ ଟିମ୍ ଏବଂ ୨୦୦ ଫାୟାର ସର୍ଭିସ୍ ଟିମ୍ଙ୍କୁ ଆବଶ୍ୟକତା ଅନୁସାରେ ପୂର୍ବ ମୃତୟନ କରାଯିବ ।
ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ତରଫରୁ ଦିଆଯାଇଥିବା ୮- ସୁତ୍ରୀ ଚେକ୍ ଲିଷ୍ଟ୍ ସହ ବନ୍ୟା-ବାତ୍ୟା ପାଇଁ ନିର୍ଦ୍ଧାରିତ କାର୍ଯ୍ୟ ପଦ୍ଧତି(ଏସ୍.ଓ.ପି) ଅନୁସାରେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପଂଚାୟତିରାଜ ଓ ପାନୀୟଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳମାନେ ଭିଡିଓ କନ୍େଫରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ବିଷୟରେ ସଦ୍ୟତନ ତଥ୍ୟ ଜଣାଇଥିଲେ ।
