ଦୃଷ୍ଟିବାଧିତ ଦମ୍ପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ଲକ ଅଧିନ ନେମ୍ବରା ଗ୍ରାମର ଏକ ଦୃଷ୍ଟିବାଧିତ ଦମ୍ପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇ ଥିବା ଜଣାପଡିଛି । ନେମ୍ବରା ଗ୍ରାମର ବିଜୟ କୁମାର ମଲ୍ଲ ଓ ତାଙ୍କ ପତ୍ନୀ ସୁଲୋଚନା ମଲ୍ଲ ଉଭୟ ସଂପୂର୍ଣ୍ଣ ଦୃଷ୍ଟିବାଧିତ ଦମ୍ପତି ଅଟନ୍ତି । ଉଭୟ ଦୃଷ୍ଟିବାଧିତ ହେଲେ ମଧ୍ୟ ଭିକ୍ଷାବୃତି ନକରି ଟ୍ରେନ୍ରେ ବିଭିନ୍ନ ପ୍ରକାର ଖାଦ୍ୟ ଦ୍ରବ୍ୟ ବିକ୍ରୟ କରି ସ୍ୱାଭିମାନର ସହ ଜୀବିକା ନିର୍ବାହ କରି ଆସୁଛନ୍ତି । ତେବେ ଏହି ବ୍ୟବସାୟକୁ ବଢାଇବା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡୁଥିବାରୁ ଡିସେମ୍ବର ମାସରେ ସୁଲୋଚନା ଆର୍ଥିକ ସହାୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ନିବେଦନ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ କରିଥିଲେ । ତଦ୍ନୁଯାଇ ସେହି ଆବେଦନ ଗୃହୀତ ହେବାପରେ ନିର୍ଦ୍ଦେଶ ମୁତାବକ ସୋମବାର ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଏହି ଦମ୍ପତିଙ୍କୁ ଦୃଷ୍ଟିବାଧିତ ଭିନ୍ନକ୍ଷମ ପ୍ରମାଣପତ୍ର ସହ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି ।
