ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା : ଟିକାକରଣ ଯୋରଦାର ଉପରେ ଗୁରୁତ୍ୱ
ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ତେଣୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କୁ ଏହି ପରିପ୍ରେକ୍ଷୀରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି କୋଭିଡ ନିୟମର କଡାକଡି ଅନୁପାଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦିଓ ତୃତୀୟ ଲହରରେ ବର୍ତମାନ ସୁଦ୍ଧା ହସ୍ପିଟାଲାଇଜେସନ୍ ବହୁତ କମ୍ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ । ସେହିପରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନ ଥିବା ତଥା ଦ୍ୱିତୀୟ ଡୋଜ ନେଇ ନ ଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହିସହିତ ବରିଷ୍ଠ ନାଗରିକ ତଥା ସମ୍ମୁଖ ଯୋଦ୍ଧା ମାନଙ୍କର ଟିକାକରଣ ଖୁବ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥଲେ ଏବଂ ଏହା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି କହିଥିଲେ । ଯେହେତୁ ବର୍ତମାନର ଲହରରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ନିଜ ଘରେ ପୃଥକୀକରଣ ରହିଛନ୍ତି, ତେଣୁ ଆମକୁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ ଏବଂ ଏଥିପାଇଁ ରାପିଡ୍ ରେସପନ୍ସ୍ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜ ଘରେ ପୃଥକୀକରଣରେ ଥିବା ରୋଗୀ ମାନଙ୍କୁ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ. ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । କମ୍ ହସ୍ପିଟାଲାଇଜେନ ସତ୍ୱେ ଦ୍ୱିତୀୟ ଲହର ଠାରୁ ଅଧିକ ସଂଖ୍ୟକ ବେଡ ମହଜୁଦ ରଖାଯାଇଛି ଏବଂ ତା ସହିତ ଅକ୍ସିଜେନ, ଭେଂଟିଲେଟର ଆଦି ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି । ଟିକାକରଣ କ୍ଷେତ୍ରରେ ରାଜ୍ୟର ପଦର୍ଶନ ସଂପର୍କରେ ସୂଚନା ଦେଇ ଶ୍ରୀ ଶର୍ମା କହିଥିଲେ ଯେ ରାଜ୍ୟରେ ବର୍ତମାନ ସୁଦ୍ଧା ରାଜ୍ୟରେ ୯୧.୮ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଥିବା ବେଳେ, ଦ୍ୱିତୀୟ ଡ଼ୋଜର ହାର ୬୮.୪ ପ୍ରତିଶତ ରହିଛି । ସେହିପରି ୩୦.୭ ପ୍ରତିଶତ ୧୫ ରୁ ୧୮ ବର୍ଷ ବୟସର ପିଲା ମଧ୍ୟ ଟିକା ନେଇସାରିଲେଣି । ତେଣୁ ଟିକାକରଣକୁ ସଂପୂର୍ଣ୍ଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ ।
ଭୁବନେଶ୍ୱର ମହାନଗର ନିଗମ କଟକ ମହାନଗର ନିଗମର ମ୍ୟୁନିସପାଲଟି କମିଶନର ଦ୍ୱୟ ତଥା ସମ୍ବଲପୁର ଓ ସୁନ୍ଦରଗଡର ଜିଲ୍ଲାପାଳ ସେମାନଙ୍କ ଅଂଚଳର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । କୋଭିଡ ନିୟମ ଅନୁପାଳନର କଡ଼ାକଡ଼ି ତଦାରଖ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବନ୍ ଶଲ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
