ଆଜି ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
- ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର କରିବେ ଶୁଭାରମ୍ଭ
ମାଲକାନଗିରି : ଆଜି ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନ । ଗସ୍ତ ପାଇଁ ବିଜୁ ଜନତା ଦଳର କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ମାଲକାନଗିରିରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି । ଏଥିପଇଁ ୩୮୧ଟି ସ୍ୱାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଆସନ୍ତା ୨୧ରୁ ୨୫ ତାରିଖ ମଧ୍ୟରେ ସମସ୍ତ କାର୍ଡ ବଂଟନ ପାଇଁ ଲକ୍ଷ୍ୟ ରଖାଯାଇଛି । ମାଲକାନଗିରି ଜିଲ୍ଲାରୁ ଏହି ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନ କରିବେ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ ସ୍ୱାଧିନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଥିଲେ । ରାଜ୍ୟ ତଥା ଦେଶରେ ୨୦୦ରୁ ଅଧିକ ଡାକ୍ତରଖାନାରେ ଏହି ସ୍ମାର୍ଟ ହେଲଥ୍ କାର୍ଡ ସୁବିଧା ଲୋକ ପାଇପାରିବେ । ଓଡ଼ିଶାର ୯୬ଲକ୍ଷ ପରିବାର ଓ ସାଢେ ୩କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ । ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିବ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂରା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୁଲିସ୍ ପକ୍ଷରୁ ଆଜି ମକ୍ ଡ୍ରିଲ୍ କରାଯାଇଛି । ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଚେକିଂ କରାଯାଉଛି । ଜିଲ୍ଲାର ଆନ୍ଧ୍ର,ଛତିଶଗଡ଼ ସୀମାକୁ ସିଲ୍ କରି ଦିଆଯାଇଛି । ସଭାସ୍ଥଳ ଜିଲ୍ଲା ସଂସ୍କୃତି ଭବନଠାରେ ପୁଲିସ୍ କଡ଼ା ପହରା ଦେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ମାଳମାଳ ନେତା, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଦୁଇ ଦିନ ହେଲା ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି । ମାଓପ୍ରବଣ ଅଞ୍ଚଳରେ ଯବାନମାନେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ସଭାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରୁଛନ୍ତି । ଜିଲ୍ଲା ସଂସ୍କୃତି ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଛାଇଯାଇଛି । ଏହାସହ ଉକ୍ତ ଭବନ ପରିସରରେ ସାଜସଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀମାନେ ମାଲକାନଗିରିରେ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏଥିପାଇଁ ସମସ୍ତ ସରାକରୀ କଳକୁ ମଧ୍ୟ ଲଗାଯାଇଛି । ସରକାରୀ ଅଧିକାରୀମାନେ ମଧ୍ୟ କିଏ କେଉଁ ଜାଗାରେ ରହିବେ ତାର ତାଲିକା ପ୍ରସ୍ତୁତ କରାଯାଇଛି ।
