ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ
ପୁରୀ : ରଥଯାତ୍ରା ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ପର୍ଯ୍ୟାୟ ସ୍ଥିତି କଣ ରହିଛି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ ବୋଲି ଜଣାପଡିଛି । ରଥ ନର୍ମାଣଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ଯାଏ ବିଭାଗୀୟ ମନ୍ତ୍ରୀ ଓ ଦାୟିତ୍ବଧାରୀ ଅଧିକାରୀଙ୍କଠାରୁ ପଚାରି ବୁଝିବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ରଥଯାତ୍ରା ପ୍ରସ୍ତୁତି ପଚାରି ବୁଝିବେ । ଆଜିର ଭର୍ଚୁଆଲ ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ବିଭିନ୍ନ ବିଭାଗୀୟ ସଚିବଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିବେ ।
ସୂଚନା ଯେ, ମହାମାରୀ କରୋନା ପାଇଁ ଦୁଇବର୍ଷ ହେବେ ବିନା ଭକ୍ତ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଉଛି । ତେବେ ପ୍ରତି ଓଡିଆଙ୍କ ଭାବର ଠାକୁରଙ୍କ ରଥଯାତ୍ରାର ପ୍ରସ୍ତୁତି ପର୍ଯ୍ୟାୟ ଚୂଡାନ୍ତରେ ପହଞ୍ଚିଛି । ବିନ ଭକ୍ତରେ ହେଉଥିବା ଘୋଷଯାତ୍ରାର ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନକୁ ସମସ୍ତ ଦାୟିତ୍ହ ନ୍ୟସ୍ତ କରାଯାଇଛି । ସେହି ଦାୟିତ୍ବର ସ୍ଥିତି ଓ କଟକଣା ବାବଦରେ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରୀରେ ନିୟୋଜିତ ହେବାକୁ ଥିବା ସେବାୟତ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପୋଲିସ ଅଧିକାରୀ ଓ କୋଭିଡ୍ କର୍ମଚାରୀଙ୍କର ଆଜିଠାରୁ କୋଭିଡ୍ ଟେଷ୍ଟ ବି କରାଯାଉଛି । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ରଥଯାତ୍ରାରେ ସାମିଲ ହୋଇପାରିବେ । ସେପଟେ ରଥଯାତ୍ରାର ଦୁଇଦିନ ପୂର୍ବରୁ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହେବ । ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିବେ । ପୁରୀର କୌଣସି ହୋଟେଲ୍, ଲଜିଂ କି ଧର୍ମଶାଳାରେ ବାହାର ଲୋକଙ୍କୁ ରହିବାକୁ ଅନୁମତି ମିଳିବ ନାହିଁ । ଏପରିକି ଘର ଛାତ ଉପରୁ ରଥଯାତ୍ରା ଦେଖିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି ।
