‘ଗୁଲାବ’ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ
- ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଓ କୋଭିଡ଼ ନିୟମ ପାଳନରେ ପ୍ରଶାସନକୁ ସହଯୋଗ ପାଇଁ ଜନସାଧାରଣଙ୍କୁ ନିବେଦନ
- ୪୨ଟି ଓଡ୍ରାଫ ଓ ୨୪ ଟି ଏନଡିଆରଏଫ ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତ
- ଆସନ୍ତାକାଲି ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର : ବାତ୍ୟା ଗୁଲାବ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ଥାଇ ସେ ଭର୍ଚୁଆଲରେ ଏହି ସମୀକ୍ଷା କରିଛନ୍ତି । ସେ କହିଛନ୍ତି ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏହାସହ କୋଭିଡ଼ ନିୟମ ପାଳନରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ମୁକାବିଲା କରିବା ପାଇଁ ୪୨ଟି ଓଡ୍ରାଫ ଓ ୨୪ଟି ଏନଡିଆରଏଫ, ୧୦୩ ଟି ଅଗ୍ନିଶମ ଦଳ ନିୟୋଜିତ ଅଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଛନ୍ତି ଏବଂ ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଆଜି ଅପରାହ୍ନ ସୁଦ୍ଧା ଗୁଲାବ ପ୍ରଭାବିତ ଜିଲ୍ଲାମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନମାନଙ୍କରୁ ଏବଂ କଚ୍ଚା ଘରମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ସହିତ ଭୂସ୍ଖଳନ ସଂଭାବନା ଥିବା ଅଞ୍ଚଳମାନଙ୍କରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ୟାସ୍ ପରବର୍ତ୍ତୀ ସମୟରେ ଯେପରି ପ୍ରଭାବିତ ଅଞ୍ଚଳମାନଙ୍କରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଥିଲା, ତାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳମାନଙ୍କରେ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରାଯିବା ତଥା ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ସହିତ ଆସ୍କା, ଗୁଡାରୀ, ଗୁଣପୁର, କଡିନଗର ଏବଂ ପୁରୁଷୋତ୍ତମପୁର ତଥା ଅନ୍ୟ ବନ୍ୟାପ୍ରବଣ ଗାଁ ମାନଙ୍କରେ ଥିବା ବନ୍ଧବାଡ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ଭଲ ପିଇବା ପାଣି ସମେତ ସବୁପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ କରାଯିବା ସଂଗେ ସଂଗେ ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁ ମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମାଇକ ଯୋଗେ ଲୋକଙ୍କୁ ସଚେତନ କରିବା ସହ ସ୍ଥାନାନ୍ତର ଆଶ୍ରୟସ୍ଥଳ ପରିଚାଳନା ତଥା ପୁନରୁଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ, ମିଶନ ଶକ୍ତି ଗୋଷ୍ଠୀ, ବେସରକାରୀ ସଂଗଠନ ଓ ସ୍ବେଚ୍ଛାସେବୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ପ୍ରଭାବିତ ସମସ୍ତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ସମୟରେ ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ କୋଭିଡ ନିୟମ ପାଳନ ଆଦି ବିଷୟରେ ପୂର୍ଣ୍ଣ ସହଯୋଗ କରବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରଭାବିତ ଜିଲ୍ଲାମାନଙ୍କରେ ୪୨ଟି ଓଡ୍ରାଫ, ୨୪ ଏନଡିଆରଏଫ, ୧୦୩ଟି ଅଗ୍ନିଶମ ଦଳ ମୁତୟନ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳମାନଙ୍କରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି। ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଏହି ଜିଲ୍ଲାଗୁଡିକ ସହିତ କନ୍ଧମାଳ, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ଏବଂ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି। ଏହା ସହିତ କେତେକ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ସେ ସତର୍କ କରାଇଛନ୍ତି। ଆଜି ଅପରାହ୍ନ ୪ଟି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟର ଜିଲ୍ଲାପାଳମାନେ ଜିଲ୍ଲାର ପରିସ୍ଥିତି ଏବଂ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ସେମାନଙ୍କର ଆବଶ୍ୟକତା ସଂପର୍କରେ ବୈଠକରେ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗ ପ୍ରମୁଖ ସଚିବ, ଶକ୍ତି ବିଭାଗ ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗ ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳମାନେ ବୈଠରେ ଭାଗ ନେଇଥିଲେ।
