କୋରାପୁଟ କଫି କାଫେର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କୋରାପୁଟ କଫି ଚାଷୀଙ୍କ ରୋଜଗାର ବୃଦ୍ଧି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଆର୍ନ୍ତଜାତୀୟ କଫି ଦିବସ ଅବସରରେ ଏକ ଇ-କମର୍ସ ପୋର୍ଟାଲ କୋରାପୁଟ କଫି କାଫେ (www.koraputcoffee.org)ର ଶୁଭାରମ୍ଭ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ କୋରାପୁଟ୍ କଫି ର ଆଉ ୨ ଟି ଆଉଟ୍ ଲେଟ୍ ଖୋଲିବାକୁ ଘୋଷଣା କରିଛନ୍ତି । ଗୋଟିଏ କୋରାପୁଟ ଜିଲ୍ଲାରେ ଏବଂ ଅନ୍ୟଟି ପୁରୀର ନିଳାଦ୍ରୀ ବିଚ୍ ଠାରେ ଖୋଲିବ ବୋଲି ଘୋଷଣା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କଫି ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ଏହା ବଡ଼ ଭୂମିକା ନିର୍ବାହ କରିବ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଂଚଳରେ କଫି ଉତ୍ପାଦନ ହେଉଥିବା ବେଳେ, ଟିଡିସିସିଓଏଲର ପ୍ରୟାସରେ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି ଟାଟା କଫି । କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । କଫି ଚାଷୀଙ୍କୁ ୪୬ ହଜାର ଏକର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି । ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲମଟାପୁଟ, କୋରାପୁଟ ଓ ପଟ୍ଟାଙ୍ଗି ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮ ହଜାର ୭୯୦ କେଜି କଫି ଚେରି ସଂଗ୍ରହ କରିଛି । ୨୦୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି । ଚଳିତବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଆଗାମୀ ଦିନରେ କଫି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି ।
