ହିଞ୍ଜିଳିର ଆଉ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
- ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି, ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ : ମୁଖ୍ୟମନ୍ତ୍ରୀ
- ସ୍କୁଲ ରୂପାନ୍ତରୀକରଣ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି : ଛାତ୍ରଛାତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି । ସେମାନଙ୍କ ପାଖରେ ଭରପୁର ସମ୍ଭାବନା ରହିଛି । ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା । ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା, ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ । ଓଡିଶା ସରକାର ହକିକୁ ସ୍ପୋନସର କରୁଛି । ଓଡିଶାର ଦୁଇ ଜଣ ଖେଳାଳୀ ଦେଶପାଇଁ ଖେଳି ଆମର ମର୍ଯ୍ୟାଦା ବଢାଇଛନ୍ତି । ତେଣୁ ସବୁ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ । । ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି – ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ, ଶାସନ ଆମ୍ବଗାଁ ପଂଚାୟତ ; କୁମାରପାଣି ହାଇସ୍କୁଲ, କୁମାରପାଣି ପଂଚାୟତ; ସରକାରୀ ୟୁଜି ହାଇସ୍କୁଲ, ସାପୁଆପଲ୍ଲୀ, ଦାରୁଭଦ୍ର ପଂଚାୟତ ; ଲାଞ୍ଜିଆପଲ୍ଲୀ ହାଇସ୍କୁଲ, ଧନତରା ପଂଚାୟତ ; ଗ୍ରାମପଂଚାୟତ ହାଇସ୍କୁଲ, ଶାହାପୁର ପଂଚାୟତ ; କରଡ଼କଣା ହାଇସ୍କୁଲ, କରଡକଣା ପଂଚାୟତ ; ଭଗବତୀ ବିଦ୍ୟାପୀଠ, ବୁରୁପଦ ପଂଚାୟତ ; ସହିଦ୍ ହାଇସ୍କୁଲ, ଟକରଡା ପଂଚାୟତ ; ମା କାଳୀ ହାଇସ୍କୁଲ, କୁଳାଗଡା ପଂଚାୟତ ଓ ଜେ.ସି.ସି. ହାଇସ୍କୁଲ, ଭାବନ୍ଧ ପଂଚାୟତ ।
ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ୫-ଟି କାର୍ଯ୍ୟକ୍ରମ ଏହି ରୂପାନ୍ତରୀକରଣ ରେ କିପରି ପ୍ରମୁଖ ଭୂମିକା ନେଇଛି ସେ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ ଟି ର ପ୍ରତ୍ୟେକ ନୀତିର ପ୍ରୟୋଗ ବିଦ୍ୟାଳୟ ରୂପାନ୍ତରଣ କୁ ସଫଳ କରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ଆଗ୍ରହ ସୃଷ୍ଟି କରିଛି । ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ସ୍କୁଲ ମାନଙ୍କର ଏ ରୂପାନ୍ତରଣ ଓଡ଼ିଶାର ଶିକ୍ଷା ଇତିହାସ ରେ ଏକ ଗୌରବ ମୟ ଅଧ୍ୟାୟ ଯୋଡ଼ି ପାରିଛି । ମନ୍ତ୍ରୀ ଓ ବିଧାୟକମାନେ ସେମାନଙ୍କ ଅଂଚଳରେ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କିପରି ଭଲ ଭାବରେ କାର୍ଯ୍ୟକାରୀ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ଗଞ୍ଜାମରେ ଯେପରି ସଫଳତା ମିଳିଛି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ସେହିପରି ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ୧୦ଟି ଯାକ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମନ୍ତ୍ରୀମଣ୍ଡଳର ସଦସ୍ୟ ,ବିଧାୟକଗଣ, ସରପଂଚ, ପଂଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ । ୫ -ଟି ସଚିବ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଞ୍ଜାମ ଜିଲ୍ଳାପାଳ ସ୍ୱାଗତ ଭାଷଣ ଦେଇଥିଲେ । ମୀରା ସ୍ୱାଇଁ ତୃପ୍ତି ମୟୀ ମହାରଣା , ,ଶ୍ରୀ ଶଙ୍କର ଜେନା ,ସ୍ମୃତି ମୟୀ ପ୍ରଧାନ , ରେଶମା ଦାସ ,ସୁଇଟି ତ୍ରିପାଠୀ, ପାୟଲ ଗୌଡ଼ ,ଓ ରୁଦ୍ର ନାରାୟଣ ଶତପଥୀ ପ୍ରମୁଖ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ରେ ସହାୟକ ହେବ ବୋଲି ମତ ଦେଇ ଆନନ୍ଦ ପ୍ରକାଶ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ମନ୍ତ୍ରୀ ପ୍ରତାପ ଜେନା ,ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ.ମନ୍ତ୍ରୀ ଅଶୋକ ପଣ୍ଡା ,ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବିଧାୟକ ମାନେ ଯୋଗ ଦେଇ ହିଞ୍ଜିଳି ବିକାଶ ସମ୍ପର୍କରେ ସୋମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଲୋକସେବା ଭବନରୁ ମୋ ସ୍କୁଲର ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ବାଗ୍ ଚୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଥିଲେ । ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ ।
