ମୁଖ୍ୟ ବିଚାରପତି ରମଣା ଭାଙ୍ଗିଲେ ସୁପ୍ରିମକୋର୍ଟର ଏହି ରେକର୍ଡ ! ଛାଡିଲେ ଅଧିକ, ଶୁଣାଇଲେ କମ୍
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ୪୮ତମ ମୁଖ୍ୟ ବିଚାରପତି ନୁଥାଲାପତି ଭେଙ୍କଟା ରମଣା ଅବସର ନେବେ। ସିଜେଆଇ ଏସ୍ ଏ ବୋବଡେଙ୍କର ସେ ଉତ୍ତରାଧିକାରୀ ହୋଇଥିଲେ। ସିଜେଆଇ ଭାବରେ ତାଙ୍କର କାର୍ଯ୍ୟକାଳ କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରରେ ଆରମ୍ଭରେ ଆରମ୍ଭ ହୋଇଥିଲା। ସୁପ୍ରିମକୋର୍ଟରେ ନିଜର ସାଢେ ଆଠ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୬୬୬ଟି ବ୍ୟାଞ୍ଚର ସଦସ୍ୟ ଥିଲେ ଓ ୧୭୦ରୁ ଊର୍ଦ୍ଧ୍ୱ ମାମଲାରେ ରାୟ ଦେଇଛନ୍ତି। ଆଉ ତାଙ୍କର ରାୟର ହାର ପ୍ରତିବର୍ଷ ୨୧ ଥିଲା। ସିଜେଆଇ ଏନଭି ରମଣାଙ୍କ ପରେ ଜଷ୍ଟିସ ଉଦୟ ଉମେସ ଲଳିତ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ରବିବାର ଜଷ୍ଟିସ ଲଳିତ ସିଜେଆଇ ଭାବେ ସପଥ ନେବେ। ତାଙ୍କର କାର୍ଯ୍ୟକାଳ ତିନି ମାସରୁ କମ ସମୟ ରହିବ। ସେ ନଭେମ୍ବର ୮ରେ ଅବସର ନେବେ।
ଜଷ୍ଟିସ୍ ଏନଭି ରମଣା ୨୪ ଏପ୍ରିଲ ୨୦୨୧ରେ ଭାରତର ୪୮ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଏସ୍ଏ ବବଡେଙ୍କ ଉତ୍ତରାଧିକାରୀ ହୋଇଥିଲେ। ୨୭ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ରମଣା, ୧୦ ଫେବୃଆରୀ ୧୯୮୩ରେ ଆଡଭୋକେଟ୍ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ୨୭ ଜୁନ୍ ୨୦୦୦ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ହେଲେ। ଜଷ୍ଟିସ୍ ରମଣା ୧୦ ମାର୍ଚ୍ଚରୁ ୨୦ ମଇ ୨୦୧୩ ମଧ୍ୟରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ତାପରେ ସେ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଏବଂ ୨୦୧୪ରେ ସେ ସୁପ୍ରିମକୋର୍ଟରେ ବିଚାରପତି ହୋଇଥିଲେ।
ସିଜେଆଇ ଏନଭି ରମଣା ତାଙ୍କର ଅବସର ପୂର୍ବଦିନ ଅର୍ଥାତ ଗୁରୁବାର ଚାରୋଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଶୁଣାଣି କରିଛନ୍ତି। ଯେଉଁଥିରେ, ପେଗାସସ୍, ବିଲକିସ୍ ବାନୋ ଦୋଷୀଙ୍କୁ କ୍ଷମା, PMLA ରିଭ୍ୟୁ ପିଟିସନ ଓ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଢିଲା ମାମଲାର ଶଣାଣୀ ଅଛି। ସିଜେଆଇ ରମଣାଙ୍କ କାର୍ଯ୍ୟକାଳ ମଧ୍ୟ ଗଠିତ ୫୩ଟି ସମ୍ବିଧାନୀକ ପୀଠର ରାୟ ପ୍ରକାଶ ପାଇନାହିଁ। ଅବସର ଗ୍ରହଣର ଦୁଇ ଦିନ ପୂର୍ବରୁ, ସିଜେଆଇ ରମଣା ୨୯ ଅଗଷ୍ଟ ୨୦୨୨ରୁ ଶୁଣାଣି ପାଇଁ ୨୫ଟି ସମ୍ବିଧାନ ବେଞ୍ଚ ମାମଲା ତାଲିକାଭୁକ୍ତ କରିଥିଲେ। ଏଥିମଧ୍ୟରୁ କେତେକ ମାମଲା ତିନି ଦଶନ୍ଧି ଧରି ବିଚାରାଧୀନ ଅଛି। ଖୁବଶୀଘ୍ର ମୁଖ୍ୟ ବିଚାରପତି ୟୁ.ୟୁ ଲଳିତଙ୍କ ତତ୍ତ୍ୱାବଧାନରେ କୋର୍ଟ ଏହି ମାମଲାଗୁଡ଼ିକର ଶୁଣାଣି କରିବେ।
ସୁପ୍ରିମକୋର୍ଟରେ ସର୍ବାଧିକ କାଳ ସିଟିଂ ଜଜ ଭାବେ ରହିବାରେ ସିଜେଆଇ ଏନଭି ରମଣା ପ୍ରଥମ। ସେ ସାଢେ ଆଠ ବର୍ଷ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟନିର୍ବାହ କରିଛନ୍ତି। ଯାହା ହାରାହାରି ସମୟ ୫.୨୫ ବର୍ଷ ଠାରୁ ଢେର ଅଧିକ। ସିଜେଆଇ ଏନଭି ରମଣାଙ୍କ ପରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ମଧ୍ୟ ସମାନ ସମୟ ସୁପ୍ରିମକୋର୍ଟରେ ରହିବାର ରେକର୍ଡ କରିବେ। ସିଜେଆଇ ରମଣାଙ୍କ ଉତ୍ତରାଧିକାରୀ ଜଷ୍ଟିସ ୟୁ.ୟୁ ଲଳିତ ୮ ବର୍ଷ ତିନିମାସ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ରହିବା ସହ ସର୍ବାଧିକ କାର୍ଯ୍ୟକାଳ ତାଲିକାର ତୃତୀୟ ସ୍ଥାନରେ ରହିବେ। ତେବେ ସବୁଠାରୁ କମ୍ ତିନି ମାସ ପାଇଁ ଜଷ୍ଟିସ ହିମା କୋହଲି ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ।
ସିଜେଆଇ ରମଣା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୬୬୬ ବେଞ୍ଚର ଅଂଶ ରହିଆସିଛନ୍ତି ଏବଂ ବର୍ଷକୁ ହାରାହାରି ୨୧ଟି ଜଜମେଣ୍ଟ ଲେଖିଛନ୍ତି। ୨୦୧୮ ସେ ସର୍ବାଧିକ ୬୧ଟି ରାୟ ଦେଇଥିଲେ। ସିଜେଆଇ ରମଣା ତାଙ୍କର ସାଢେ ଆଠ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୧୭୭ଟି ରାୟ ଦେଇଛନ୍ତି। ଯାହା ତାଙ୍କ ମୋଟ ମାମଲାର ମାତ୍ର ୨୬ ପ୍ରତିଶତ ହେବ। ଅପରପକ୍ଷେ, ତାଙ୍କ ଉତ୍ତରାଧିକାରୀ ଜଷ୍ଟିସ୍ ୟୁ.ୟୁ. ଲଲିତ ତାଙ୍କ ଆଠ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୨୯୭ ଜଜମେଣ୍ଟ ଲେଖିଛନ୍ତି। ଏହି କ୍ରମରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ ଛଅ ବର୍ଷ ତିନି ମାସରେ ୪୯୪ ମାମଲାରେ ରାୟ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ଏମ୍ ଆର ଶାହା (୪୨୦) ଏବଂ ଜଷ୍ଟିସ୍ ହେମନ୍ତ ଗୁପ୍ତା (୧୯୯) ରାୟ ଦେଇଛନ୍ତି।
ସିଜେଆଇ ରମଣା ସର୍ବାଧିକ ଅପରାଧିକ ମାମଲା (୩୯%)ରେ ତାଙ୍କର ରାୟ ଦେଇଛନ୍ତି। ସେହିପରି ସମ୍ପତ୍ତି ସମ୍ବନ୍ଧୀୟ ରାୟ ୭% ଏବଂ ମୋଟର ଯାନ ଅଧିନିୟମ, ୧୯୮୮ (୭%) ସମ୍ବନ୍ଧୀୟ ବିଷୟଗୁଡିକ ମଧ୍ୟ ଜଜମେଣ୍ଟ ଦେଇଥିଲେ। ଏହା ବ୍ୟତୀତ ଅବଶ୍ୟ, ଜଷ୍ଟିସ ରମଣା ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଉଲ୍ଲେଖନୀୟ ନିଷ୍ପତ୍ତି ନେଇଛନ୍ତି। ସେଗୁଡିକ ମଧ୍ୟରୁ ୨୦୧୯ର Central Public Information Officer v Subash Chandra Agarwal ଓ ୨୦୨୦ର Anuradha Bhasin v Union of India ଅନ୍ୟତମ। କିନ୍ତୁ ତାଙ୍କ ନେତୃତ୍ୱରେ ଶୁଣାଣୀ ହେଉଥିବା ବିଲକିସ ବାନୋ ମାମଲା, PMLA ରାୟର ରିଭ୍ୟୁ, ପେଗାସସ ମାମଲା, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଢିଲା ମାମଲା ଅଧାରେ ରହିଗଲା। ଯହାକୁ ଅନ୍ୟ ଜଜ୍ ଶୁଣାଣୀ କରିବେ।
ସୁପ୍ରିମକୋର୍ଟରେ ବିଚାରାଧିନ ସିଜେଆଇ ରମଣାଙ୍କ କାର୍ଯ୍ୟକାଳରେ କମ ବୃଦ୍ଧି ପାଇଛି। ସିଜେଆଇ ବବଡେଙ୍କ ସମୟରେ ୧୪% ବଢିଥିବା ବେଳେ ସିଜେଆଇ ରମଣାଙ୍କ କାର୍ଯ୍ୟକାଳରେ ୫% ବୃଦ୍ଧି ହୋଇଛି। ତେବେ, ସିଜେଆଇ ବବଡେଙ୍କ ସମୟରେ କୋଭିଡର ପ୍ରଥମ ଲହର ଆସିଥିଲା। ଯେଉଁଥିପାଇଁ କୋର୍ଟଙ୍କୁ ପ୍ରଥମ ଥର ଭର୍ଚୁଆଲ ଶୁଣାଣୀର ବ୍ୟବସ୍ଥା କରିବାକୁ ପଡିଥିଲା। ଅନ୍ୟପଟେ ସିଜେଆଇ ରାମନାଙ୍କ କାର୍ଯ୍ୟକାଳରେ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଜାନୁଆରୀ ୨୦୨୨ରେ ସୁପ୍ରିମକୋର୍ଟରେ ବିଚାରାଧିନ ମାମଲା ସଂଖ୍ୟ ୭୦୦୦୦ ଅତିକ୍ରମ କରିଥିଲା। ୨୦୨୨ ଅଗଷ୍ଟ ପହିଲା ସୁଦ୍ଧା ସୁପ୍ରିମକୋର୍ଟରେ ୭୧୪୧୧ଟି ମାମଲା ବିଚାରାଧିନ ଅଛି। ସିଜେଆଇ ରମନାଙ୍କ କାର୍ଯ୍ୟକାଳ ଆରମ୍ଭରୁ ୩୫୧୩ଟି ମାମଲା ବଢିଛି।
