ଆଜି ଠାରୁ ୧୦ ଜିଲାରେ ଭର୍ଚୁଆଲ ହାଇକୋର୍ଟ, ଉଦଘାଟନ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି
ଭୁବନେଶ୍ୱର : ଆଜି ଠାରୁ ୧୦ଟି ଜିଲାରେ ଭର୍ଚୁଆଲ ହାଇକୋର୍ଟ। ଆଜି ଆୟୋଜିତ ହେବାକୁ ଥିବା ସମାରୋହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଯୋଗ ଦେଇ ୧୦ଟି ଜଜ୍ ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ, ଗଞ୍ଜାମ, କଳାହାଣ୍ଡି , ଖୋର୍ଦ୍ଧା , କୋରାପୁଟ , ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ଜଜସିପରେ ଭର୍ଚୁଆଲ ହାଇକୋର୍ଟକୁ ପ୍ରଧାନ ବିଚାରପତି ଭର୍ଚୁଆଲ ବ୍ୟବସ୍ଥାରେ ଉଦଘାଟନ କରିବେ ବୋଲି ସୂଚନା ମିଳିଛି ।
ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ସମସ୍ତ ୩୦ଟି ଜଜ୍ ସିପରେ ଉତ୍ସର୍ଗୀକୃତ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟ କରିବ। ଏଠାରେ ମାମଲାର ଇ-ଫାଇଲିଂ ଠାରୁ ଆରମ୍ଭ କରି ଭର୍ଚୁଆଲ ବ୍ୟବସ୍ଥାରେ ଶୁଣାଣି ପର୍ଯ୍ୟନ୍ତ ସୁବିଧା ରହିବ ।
