ବିଜେପି ସରକାରରେ ବିନା କ୍ୟାବିନେଟ ବୈଠକରେ ଆଇନ ପ୍ରଣୟନ ଏବଂ ପ୍ରତ୍ୟାହାର ହୁଏ : ଚିଦାମ୍ବରମ
ନୂଆଦିଲ୍ଲୀ : ଦେଶରେ ୩ କୃଷି ଆଇନ ପ୍ରତ୍ୟାହାର ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ରାଜ୍ୟସଭା ସାଂସଦ ପି ଚିଦାମ୍ବରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା କ୍ୟାବିନେଟ ବୈଠକରେ ଆଇନ ପ୍ରତ୍ୟାହାର କରିଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ କେବଳ ବିଜେପି ସରକାରରେ ବିନା କ୍ୟାବିନେଟ ବୈଠକରେ ଆଇନ ପ୍ରଣୟନ ଏବଂ ପ୍ରତ୍ୟାହାର ହୁଏ ବୋଲି ବରିଷ୍ଠ ନେତା ଚିଦାମ୍ବରମ କଟାକ୍ଷ କରି କହିଛନ୍ତି । କ୍ୟାବିନେଟର ପୂର୍ବ ଅନୁମୋଦନ ବିନା ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ପି ଚିଦାମ୍ବରମ୍ ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି । କ୍ୟାବିନେଟ ବୈଠକରେ ଆଲୋଚନା ନକରି ପ୍ରଧାନମନ୍ତ୍ରୀ ଏପରି ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ‘ଆପଣ ଲକ୍ଷ୍ୟ କରିଛନ୍ତି କି କ୍ୟାବିନେଟ ବୈଠକ ନକରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । କେବଳ ବିଜେପି ଅଧୀନରେ ହିଁ କ୍ୟାବିନେଟର ଅନୁମୋଦନ ବିନା ଆଇନ ପ୍ରଣୟନ କରାଯାଇଛି ।’
ସୂଚନା ଯେ, ଗତ ଶୁକ୍ରବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି । ଏହି ଆଇନକୁ ନେଇ ଦେଶବ୍ୟାପୀ କୃଷି ଆନ୍ଦୋଳନ ଲାଗି ରହିଥିଲା । ଏପରିକି ଦିଲ୍ଲୀ ସିଙ୍ଘୁ ବର୍ଡରେ ମଧ୍ୟ ହଜାର ହଜାର ଚାଷୀ ଆନ୍ଦୋଳନରତ ଥିଲେ । ଶହ ଶହ ଆନ୍ଦୋଳନରତ ଚାଷୀଙ୍କ ପ୍ରାଣହାନୀ ମଧ୍ୟ ଘଟିଛି । ଶେଷରେ ଦୀର୍ଘ ଦେଢ ବର୍ଷ ପରେ କୃଷକଙ୍କ ପାଇଁ ଏହି ଆଇନ ପ୍ରତ୍ୟାହାର କରୁଥିବା ଘୋଷଣା କରିଛନ୍ତି ମୋଦି । ଏପରିକି ସେ ଆଇନ ବାବଦରେ ମଧ୍ୟ କୃଷକଙ୍କୁ ବୁଝାଇପାରି ନ ଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଦଳୀୟ କର୍ମୀଙ୍କ ସମେତ ବହୁ ଲୋକେ ସମର୍ଥନ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ସ୍ବାଗତ କରିଥିଲେ । ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଗୃହମନ୍ତ୍ରୀ ଶାହ କହି ଥିବାବେଳେ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଯତ୍ନବାନ ଅଛନ୍ତି ବୋଲି ଜେପି ନଡ୍ଡା କରିଥିଲେ ।
