ଲକ୍ଷ୍ମୀପୁର ମୃତକ ପରିବାରକୁ ୫୦-୫୦ ଲକ୍ଷ ଦେବେ ଛତିଶଗଡ଼ ଏବଂ ପଂଜାବ ସରକାର
ଲକ୍ଷ୍ନୌ : ଛତିଶଗଡ଼ ଏବଂ ପଂଜାବର କଂଗ୍ରେସ ସରକାର ମଧ୍ୟ ଉତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ହୋଇଥିବା ବିଦ୍ରୋହରେ ପ୍ରାଣ ହରାଇଥିବା ଆଠ ଜଣଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ୟୁପି ସରକାର ପୂର୍ବରୁ ୪୫-୪୫ ଲକ୍ଷ ଟଙ୍କା ଦେଇ ସାରିଛନ୍ତି ।
ବୁଧବାର ଦିନ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ଲକ୍ଷ୍ନୌରେ ପହଂଚିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଏଠାରେ ଘୋଷଣା କରିଛନ୍ତି ଯେ, ମୃତକଙ୍କ ପରିବାରକୁ ଉଭୟ ସରକାର ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ । ଏହା ପରେ ରାହୁଲ ଗାନ୍ଧୀଙ୍କ ସହ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରୁ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାତ୍ରା କରିଥିଲେ । ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ କଂଗ୍ରେସ ନେତାମାନେ ଆଜି ଲକ୍ଷ୍ମୀପୁର ଖେରୀ ଯାଉଛନ୍ତି । ସେପଟେ ସୀତାପୁର ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କୁ ମୁକ୍ତ କରିଛି । ବର୍ତମାନ ରାହୁଲ ଗାନ୍ଧୀ ସିଧା ସୀତାପୁରକୁ ଯାଉଛନ୍ତି । ସେଠାରୁ ସମସ୍ତ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଲକ୍ଷ୍ମୀପୁର ଖେରୀରେ ପହଂଚି ମୃତ କୃଷକ ଏବଂ ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ଭେଟିବେ ।
