ଦେଶର ସବୁଠାରୁ ପ୍ରଦୂଷିତ ୧୦ ସହର, ଚେକ୍ କରନ୍ତୁ ଲିଷ୍ଟରେ ନାହିଁତ ଆପଣଙ୍କ ସ୍ଥାନ
ନୂଆଦିଲ୍ଲୀ: ଦେଶର ଆଲୋକର ପର୍ବ ଦୀପାବଳି ପରଠାରୁ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନେକ ବଡ ବଡ ସହରରେ ଗୁରୁତର ଭାବେ ପ୍ରଭାବିତ ହୋଇ ଆସିଛି । ଦିଲ୍ଲୀରେ ତିନି ଦିନ ସ୍ଥିତି ସାଂଘାତିକ ରହିବା ପରେ, ଏକ୍ୟୁଆଇ ଅର୍ଥାତ୍ ବାୟୁର ଗଣୁବତ୍ତା ମାନ ଟିକେ ସୁଧୁରିବାରେ ଲାଗିଛି, ଯଦିଓ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ବାୟୁର ଗୁଣବତ୍ତା ସଠିକ୍ ହୋଇନାହିଁ ସେପଟେ ଉତ୍ତରପ୍ରଦେଶ ରାଜ୍ୟର ବୃନ୍ଦାବନ ସହର ଦେଶର ପ୍ରଦୂଷିତ ସହର ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି । ଯେଉଁଠାରେ ଏକ୍ୟୁଆଇ ୪୭୭ ରେକର୍ଡ କରାଯାଇଛି। ଦେଶର ପ୍ରଦୂଷିତ ସହରର ଶ୍ରେଷ୍ଠ ୫ଟି ସହର କେବଳ ଉତ୍ତରପ୍ରଦେଶର । ଏଥି ସହିତ ଉତ୍ତରପ୍ରଦେଶର ପ୍ରାୟ ଆଠଟି ସହର ଶ୍ରେଷ୍ଠ ୧୦ରେ ଅନ୍ତର୍ଭୁକ୍ତ ହୋଇଛି।
ଦେଶର ପ୍ରଦୂଷିତ ସହର ମଧ୍ୟରେ ଉତ୍ତରପ୍ରଦେଶର ବୃନ୍ଦାବନ ପ୍ରଥମ ସ୍ଥାନରେ ରହିଛି। ବୃନ୍ଦାବନର ବାୟୁର ଗୁଣବତ୍ତା ମାନ ଆଜି ୪୭୭ ରେ ପହଞ୍ଚିଛି । ଏଥି ସହିତ ଦ୍ୱିତୀୟ ସ୍ଥାନରେ ଆଗ୍ରା (୪୬୯ ), ତୃତୀୟ ସ୍ଥାନରେ ଗାଜିଆବାଦ (୪୩୨ ), ଚତୁର୍ଥରେ କାନପୁର (୪୩୦) ଏବଂ ପଞ୍ଚମ ସ୍ଥାନରେ ହାପୁର (୪୨୨ ) ରହିଛି । ଏହା ପରେ ବାଗପତ (୪୧୫), ଜିନ୍ଦ (୪୧୫), ବଲ୍ଲଭଗଡ (୪୧୪), ନୋଏଡା (୪୦୭) ଏବଂ ବୁଲନ୍ଦଶହର (୪୦୬) ମଧ୍ୟ ଯଥାକ୍ରମେ ଟପ୍ ଟେନ୍ ତାଲିକାରେ ଅନ୍ତର୍ଭୁକ୍ତ । ଏହି ତାଲିକାରେ ଉତ୍ତରପ୍ରଦେଶର ଆଠଟି ସହର ଅନ୍ତର୍ଭୁକ୍ତ ହୋଇଥିବାବେଳେ ଅବଶିଷ୍ଟ ଦୁଇଟି ସହର ହରିୟାଣାର ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଦିଲ୍ଲୀ ପାଇଁ ଟିକେ ଆଶ୍ୱସ୍ତି କର ଖବର ଆଣିଛି । ଦିଲ୍ଲୀରେ ସକାଳ ଏକ୍ୟୁଆଇ ଅର୍ଥାତ ବାୟୁର ଗୁଣବତ୍ତା ମାନ ୩୮୫ ରେ ରହିଛି । ଯେଉଁଥିପାଇଁ ଦିଲ୍ଲୀ ଏବେ ତାଲିକାରେ ତଳେ ଅର୍ଥାତ୍ ୧୬ ତମ ସ୍ଥାନରେ ରହିଛି । ଦୀପାବଳି ପରେ ପ୍ରଦୂଷଣ ସ୍ତରରେ ହଠାତ୍ ବୃଦ୍ଧି ଘଟିଛି। ଅନ୍ୟପଟେ ଶୀତଦିନେ ଥିବାରୁ କୁହୁଡି କାରଣରୁ ବାୟୁ ପ୍ରଦୂଷଣ ମାତ୍ରା ମଧ୍ୟ ଅଧିକ ରହୁଛି ।
ସୂଚନା ଯେ, ୦ରୁ ୫୦ ପ୍ରତିଶତ ରହିଲେ- ବାୟୁ ଗୁଣବତ୍ତାମାନ ଭଲ । ୫୧ରୁ ୧୦୦ ପ୍ରତିଶତ ରହିଲେ- ବାୟୁ ଗୁଣବତ୍ତାମାନ ସନ୍ତୋଷଜନକ । ୧୦୧ରୁ ୨୦୦ ପ୍ରତିଶତ ରହିଲେ-ବାୟୁ ଗୁଣବତ୍ତାମାନ ମଧ୍ୟମଧରଣର । ୨୦୧ରୁ ୩୦୦ ପ୍ରତିଶତ ରହିଲେ – ବାୟୁ ଗୁଣବତ୍ତାମାନ ଖରାପ। ୩୦୧ ରୁ ୪୦୦ ପ୍ରତିଶତ ରହିଲେ- ବାୟୁ ଗୁଣବତ୍ତାମାନ ବହୁତ ଖରାପ। ୪୦୧ ରୁ ୫୦୦ ପ୍ରତିଶତ ରହିଲେ-ବାୟୁ ଗୁଣବତ୍ତାମାନ ଭୟଙ୍କର ହୋଇଥାଏ ।
