ବଦଳୁଛି ପାଗ : ହଟିଲା ଓ୍ବାର୍ଣ୍ଣିଂ, ବଢିବ ଶୀତ
ଭୁବନେଶ୍ୱର : ବାତ୍ୟା ପରେ ବଦଳୁଛି ପାଗ, ହଟିଲା ବାତ୍ୟା ଓ୍ବାର୍ଣ୍ଣିଂ । ଆଗକୁ ରାଜ୍ୟରେ ବଢିବ ଶୀତ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ସୂଚନା ଦେଇଛନ୍ତି । ବାତ୍ୟା ଫେରିଯାଇଥିବାବେଳେ ବର୍ତ୍ତମାନ ଆଗକୁ ଶୀତର ପ୍ରକୋପ ବଢିବ ।
ଉପକୂଳ ତଥା ତତସଂଲଗ୍ନ ଜିଲା ଗୁଡିକରେ ପାଗ ମେଘୁଆ ରହିଛି। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ତେବେ ରାଜ୍ୟରୁ ବାତ୍ୟା ଜନିତ ସମସ୍ତ ସତର୍କ ସୂଚନା ହଟାଇ ଦିଆଯାଇଛି। ଏହା ସହ ମଙ୍ଗଳବାର ଠାରୁ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ। ଏହା ସହ ଆଜି ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା ଏବଂ ସ୍ବାଭାବିକ ହେବ ଶୀତ। ସେପଟେ ଆଜି ସକାଳ ୫.୩୦ ସମୟରେ ଅବପାତ ଦୁର୍ବଳ ହୋଇ ଏକ ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ବଙ୍ଗଳାଦେଶ ଉପକୂଳରେ ଏହା କେନ୍ଦ୍ରୀଭୂତ ଥିବା ବେଳେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଗତ ୨୪ ଘଣ୍ଟାରେ ଜଗତସିଂହପୁର ଜିଲ୍ଲା ଏରସମାରେ ସର୍ବାଧିକ ୧୩୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
