କରୋନାକୁ ନେଇ ଆସିଲା ବଡ ଖବର, ଟିକା ସାର୍ଟିଫିକେଟରେ ହେବ ଏହି ପରିବର୍ତ୍ତନ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାରେ ଦିଆଯାଉଥିବା ଟିକାକରଣ ସାର୍ଟିଫିକେଟକୁ ନେଇ ଆସିଲା ବଡ ଖବର । ଟିକା ନେବା ପରେ ମିଳୁଥିବା ଟିକା ସାର୍ଟିଫିକେଟରେ ପରିବର୍ତ୍ତନ ହେବ । ଭାରତୀୟଙ୍କ ଟିକାକରଣକୁ ନେଇ ବ୍ରିଟେନ ସହ ଭାରତର ବିବାଦ ଲାଗି ରହିଥିଲା ବେଳେ ବର୍ତ୍ତମାନ ଉଭୟ ଡୋଜ ଟିକା ନେଇଥିବା ତଥା ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଜନ୍ମ ତାରିଖ ଟିକା ସାର୍ଟିଫିକେଟରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କୋୱିନ ପୋର୍ଟାଲରୁ ବର୍ତ୍ତମାନ ମିଳୁଥିବା ସାର୍ଟିଫିକେଟରେ କେବଳ ବୟସ ସମ୍ପର୍କରେ ଉଲ୍ଲେଖ ରହିଛି । ଆଧାର ନମ୍ବରକୁ ଭିତ୍ତିକରି ଜନ୍ମ ବର୍ଷ ହିସାବରେ କେବଳ ବୟସ ଲେଖାଯାଉଛି । କିନ୍ତୁ ବର୍ତ୍ତମାନ ସେଥ୍ରେ ସମ୍ପୂର୍ଣ୍ଣ ଭାବେ ଜନ୍ମ ତାରିଖ ରହିବ । ସେଥୂପାଇଁ କୋୱିନ ଆପ ଓ ଏନଏଚଏସ ଆପରେ ଆବଶ୍ୟକ ପରିବର୍ତ୍ତନ କରାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଜାରି କରାଯାଇଥିବା ନୀତି ଅନୁସାରେ ଏଭଳି ପଦକ୍ଷେପ ନିଆଯାଉଛି । ଆସନ୍ତା ସପ୍ତାହରୁ ଏହି ପରିବର୍ତ୍ତିତ ଟିକା ସାର୍ଟିଫିକେଟ ଉପଲବ୍ଧ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି । ଉଭୟ ଡୋଜ ଟିକା ନେଇଥିବା ଭାରତୀୟ ବ୍ରିଟେନ ଗଲେ ସେଠାରେ ୧୦ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟାଇନରେ ରହିବେ ବୋଲି ସେଠାକାର ସରକାର ଘୋଷଣା କରିବା ପରେ ଭାରତ ଆପତ୍ତି ଉଠାଯାଇଥିଲା ।
