ଜଳରଙ୍ଗରେ ଝଲସିଲା ଚାନ୍ଦିପୁର
- ଦୁଇ ବରିଷ୍ଠ ଶିଳ୍ପୀ ଅଶୋକ ମହାନ୍ତି ଓ ଶିରିଶ ଚନ୍ଦ୍ର ଚାନ୍ଦଙ୍କୁ ପୂର୍ବୋଦୟ ସମ୍ବର୍ଦ୍ଧନା
- ଶିଳ୍ପୀଙ୍କ ରଙ୍ଗତୂଳୀରେ ଚିତ୍ରିତ ହେଲା ବଳରାମଗଡି ମୁହାଣର ଲଞ୍ଚ ଟଲର
- ନୀଳିମା ପ୍ରଧାନଙ୍କ ଏକକ ଚିତ୍ର ପ୍ରଦର୍ଶନୀ ଦର୍ଶକଙ୍କ ମନ ମୋହିଲା
- ଭାଗନେଲେ ବିଭିନ୍ନ ରାଜ୍ୟର ୪୦ ଜଣ ଚିତ୍ରଶିଳ୍ପୀ
- ୧୦ଟି ପେଣ୍ଟିଂ କିଣିଲେ କଳାପ୍ରେମୀ
ବାଲେଶ୍ୱର : ପୂର୍ବୋଦୟ ଆର୍ଟ ଫାଉଣ୍ଡେସନର ଜାତୀୟ ସ୍ତରୀୟ ଏକଦିନିଆ ଫାଷ୍ଟ ଷ୍ଟ୍ରୋକ୍ ବିଶାଳ ଜଳରଙ୍ଗ କର୍ମଶାଳା ଓ ଆଲୋଚନା ଚକ୍ର ସମାପନ ହୋଇଯାଇଛି । ଏହି ଜଳରଙ୍ଗ କର୍ମଶାଳା ପୂର୍ବାହ୍ନ ୬ ଘଟିକାରେ ଯୁବ ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଶିଳ୍ପୀମାନେ ଚାନ୍ଦିପୁର ଓ ତାର ଆଖପାଖ ଅଞ୍ଚଳକୁ ଯାଇ ମନଲୋଭା ପ୍ରାକୃତିକ ଦୃଶ୍ୟକୁ ଆଙ୍କିଥିଲେ । ବିଶେଷ କରି ବଳରାମଗଡିର ଲଞ୍ଚ, ଟଲର, ନୌକା ତଥା ବୁଢ଼ାବଳଙ୍ଗର ଝଲଝଲ ପାଣି, ବଙ୍ଗୋପସାଗରର ନୀଳ ଲହରୀର ଦୃଶ୍ୟ ବାହାରରୁ ଆସିଥିବା ଶିଳ୍ପୀମାନଙ୍କୁ ଅଧିକରୁ ଅଧିକ କଳା ମନସ୍ଥ କରିଥିବା ବେଳେ ବିବିଧ ରଙ୍ଗର ଷ୍ଟ୍ରୋକ୍ ମାରି କଳାର ଦକ୍ଷତା ଓ କଳାର କୌଶଳ ଫୁଟାଇ ଥିଲେ ।
ମଧ୍ୟାହ୍ନ ୨ ଘଟିକାରେ ସମସ୍ତ ଚିତ୍ରକୁ ନେଇ ପ୍ରଦର୍ଶନ କରାଯାଇଥିବା ବେଳେ ନୀଳିମା ପ୍ରଧାନଙ୍କ ୧୦ଟି ଆକର୍ଷଣୀୟ ଏକ୍ରାଲିକ ପେଣ୍ଟିଂକୁ ନେଇ ଏକକ ଚିତ୍ର ପ୍ରଦର୍ଶନୀ କରାଯାଇ ଥିଲା । ପେଣ୍ଟିଂ ସବୁ କଳାପ୍ରେମୀ ତଥା ନିମନ୍ତ୍ରିତ ଅତିଥିମାନଙ୍କୁ ଆକୃଷ୍ଟ କରିଥିଲା । ଝାଡ଼ଖଣ୍ଡରୁ ଦେବଜିତ ପଲଙ୍କ ନେତୃତ୍ୱରେ ଶିଳ୍ପୀମାନଙ୍କ ମଧ୍ୟରେ ଜଳରଙ୍ଗ ବିଷୟରେ ଏକ ସାରଗର୍ଭକ ଆଲୋଚନା ହୋଇଥିଲା ବେଳେ ଅପରାହ୍ନ ୩ ଘଟିକାରେ ସମ୍ବର୍ଦ୍ଧନା, ପ୍ରମାଣ ପତ୍ର ପ୍ରଦାନ ଓ ଉଦଯାପନ ଉତ୍ସବ ଆରମ୍ଭ ହୋଇଥିଲା ।
ଉତ୍ସବକୁ ଫାଉଣ୍ଡେସନର ସଭାପତି ପ୍ରତାପ ରାଉତ ସଭାପତିତ୍ୱ କରିଥିବା ବେଳେ ସଂପାଦକ ନବୀନ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶିବାନୀ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଚାନ୍ଦିପୁର ପିଏକ୍ସିର ଏସୋସିଏଟ୍ ଡାଇରେକ୍ଟର ଡ. ପି କେ ଦାସଗୁପ୍ତା ଯୋଗ ଦେଇ ଶିଳ୍ପୀମାନଙ୍କ ଉଚ୍ଚକୋଟୀର ଚିତ୍ରକଳାକୁ ପ୍ରଶଂସା କରିବା ସହ ଆୟୋଜକମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି ପ୍ରଶାନ୍ତ ଦାସ ଯୋଗଦେଇ ଚିତ୍ରଶିଳ୍ପୀ ମାନଙ୍କ ଧ୍ରମ ଓ କର୍ମକୁ ବିଷଦ ଭାବରେ କହିଥିଲେ । ସମ୍ମାନିତ ଅତିଥି ଭାବରେ ଫକୀରମୋହନ ମେଡିକାଲ କଲେଜର ଏସିଷ୍ଟେଣ୍ଡ ପ୍ରଫେସର ଡା. ସୁରେଶ ଚନ୍ଦ୍ର ପାଲ ଯୋଗ ଦେଇ କଳା ସାଧନା ମୁନି ଋଷିଙ୍କ ସାଧନାଠାରୁ କୌଣସି ଗୁଣରେ କମ ନୁହଁ ବୋଲି ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳା ଓ ଆଲୋଚନା ଚକ୍ରରେ ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପଲ, ଶୁଭାଶିଷ ସାମନ୍ତ ପଶ୍ଚିମବଙ୍ଗରୁ ସପ୍ତଶ୍ରୀ ନନ୍ଦୀ, ଗୋପାଳ ରୟ, ମାନସ ରୟ, ପ୍ରକାଶ ରୟ, ଓଡ଼ିଶାରୁ ଶିଳ୍ପୀ କେଶୁଦାସ, ନିତ୍ୟାନନ୍ଦ ସାହୁ, ଧର୍ମପଦ ବିଶ୍ବାଳ, ଅରୁଣ ଜେନା, ତାପସ ପଣ୍ଡା, ସନ୍ତୋଷ ମହାରଣା, ବିଶ୍ବଜିତ ପରମାଣିକ, ମହେନ୍ଦ୍ର ନାଥ ଦଣ୍ଡପାଟ, ମାନସ ପତି, ମୁକ୍ତିକାନ୍ତ ନନ୍ଦୀ ପ୍ରମୁଖ ବିଶିଷ୍ଟ ଚିତ୍ରଶିଳ୍ପୀ ସହ ଯୁବ ଚିତ୍ରଶିଳ୍ପୀ ମୋଟ ୪୦ ଜଣ ଚିତ୍ରଶିଳ୍ପୀ ଯୋଗ ଦେଇ ଚାନ୍ଦିପୁର, ବଳରାମଗଡି ଓ ନୂଆପାଳଗଡି ପ୍ରମୁଖ ସ୍ଥାନର ପ୍ରାକୃତିକ ଦୃଶ୍ୟକୁ ସୁନ୍ଦର ଭାବରେ ଆଙ୍କିଛନ୍ତି । ଏହି ଅବସରରେ ଦୁଇଜଣ ବରିଷ୍ଠ ଶିଳ୍ପୀ ଅଶୋକ ମହାନ୍ତି ଓ ଶିରିଶ ଚନ୍ଦ୍ର ଚାନ୍ଦଙ୍କୁ ତାଙ୍କର ଆଜୀବନ କଳା ସାଧନା ପାଇଁ ପୁଷ୍ପଗୁଚ୍ଛ, ଉପଢୌକନ ଓ ପ୍ରମାଣ ପ୍ରତ୍ର ପ୍ରଦାନ କରାଯାଇ ମୁଖ୍ୟଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣେନ୍ଦୁ ପତି, ଅରୁଣ ବାରିକ, ଗଦାଧର ମହାନ୍ତି , ସୁବ୍ରତ ଦତ୍ତ, ଗୌତମ ମାଝି, ସଞ୍ଜୟ ରାଉଳ, ଆଶିଷ ସାହୁ ଓ ଦେବାଶିଷ ପତି ପ୍ରମୁଖ ସୂଚାରୁରୂପେ ପରିଚାଳନା କରିଥିବା ବେଳେ ସୁଶିଲ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।


