ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁୁବନେଶ୍ୱର : ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ୬ କୋଟିର ଚେକ୍ ପ୍ରଦାନ କରିଥିଲେ । ଏଥିସହ ପ୍ରମୋଦଙ୍କୁ ଗ୍ରେଡ୍ ଏ ପାହ୍ୟାର ସରକାରୀ ଚାକିରୀ ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାରାବ୍ୟାଡମିଂଟନ ରେ ଦେଶର ପ୍ରଥମ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଆଣିଥିବା ପ୍ରମୋଦ ଭଗତ ଦେଶର କ୍ରୀଡ଼ା ଇତିହାସରେ ନିଜର ଛାପ ଛାଡ଼ିଛନ୍ତି । ତାଙ୍କ ସଫଳତା ଅନ୍ୟ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବ ।
ସମ୍ବର୍ଦ୍ଧିତ ହେବା ପରେ ପ୍ରତିକ୍ରିୟା ରଖି ପ୍ରମୋଦ କହିଛନ୍ତି ଯେ ବହୁ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ଆସି ସେ ସ୍ୱର୍ଣ୍ଣ ଜିତିଛନ୍ତି । ଏହି ସଫଳତା ପଛରେ ତାଙ୍କ ଗାଁ ଲୋକ ଓ କୋଚଙ୍କ ଅବଦାନ ରହିଛି । ଏହାଛଡ଼ା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିଛନ୍ତି ବୋଲି ସେ କହିଛନ୍ତି । ଡେପୁଟି କଲେକ୍ଟର ହେବା ପାଇଁ ସେ ଇଚ୍ଛା ବ୍ୟକ୍ତି କରିଛନ୍ତି । ତେବେ ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତି ନେବେ ତାହାକୁ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଦିଲୀପ ତିର୍କୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ, କ୍ରୀଡ଼ା ସଚିବ ଆର.ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ । ଏହା ପୂର୍ବରୁ ପୂର୍ବାହ୍ନରେ ପାରାଲିମ୍ପିଆନ୍ ପ୍ରମୋଦ ଭଗତ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା ଏବଂ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା । ନିକଟରେ ଟୋକିଓରେ ଅନୁଷ୍ଠିତ ପାରା- ଅଲିମ୍ପିକ୍ସରେ ପ୍ରମୋଦ ଭଗତ ବ୍ୟାଡମିଂଟନରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
