ଚୈତ୍ର ଚଡ଼କ ମେଳା: ଚାରି ଅର୍ଘ୍ୟରେ ୪୦ହଜାର ଭକ୍ତଙ୍କ ଅର୍ଘ୍ୟଦାନ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ଚତୁର୍ଥ ଅର୍ଘ୍ୟରେ ୪୦ହଜାର ଉପବୀତଧାରି ଶୈବଭକ୍ତ ଜୀଉଙ୍କ ଠାରେ ଅର୍ଘ୍ୟଦାନ କରିଛନ୍ତି । ଓଡ଼ିଶା ସମେତ ଭିନ୍ନ ରାଜ୍ୟର ଅସଙ୍ଖ୍ୟ ଶ୍ରଦ୍ଧାଳୁ ଜୀଉଙ୍କ ପୀଠକୁ ଆଗମନ ହୋଇଛି । ଚୈତ୍ର ମାସ ଶେଷ ସୋମବାରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦନେଶ୍ୱର ମହାଦେବଙ୍କ ସମେତ ପ୍ରସିଦ୍ଧ ଶୈବପୀଠ ଭୂଷଣ୍ଡେଶ୍ୱର ଓ ଗ୍ରାମୀଣ ମହାଦେବଙ୍କ ଠାରେ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି ।
ସୋମବାର ନିଶିବସାନରୁ ହୁଗୁଳି ଗ୍ରାମସ୍ଥ ଜଳଯନ୍ତ୍ର ଦେବତାଙ୍କ ଠାରେ ଶୈବଭକ୍ତଙ୍କ ପୂଜାର୍ଚ୍ଚନା, ମହାଦେବଙ୍କ ଗର୍ତ୍ତଗର୍ଭରେ ଜଳାଭିଷେକ, ପଣ୍ଡା, ସେବାୟତଙ୍କ ଶିବସ୍ତୁତି ମନ୍ତ୍ର ଉଚ୍ଚାରଣ ସହିତ ଭକ୍ତଙ୍କ ଚନ୍ଦନେଶ୍ୱର ମହାଦେବଙ୍କ ହରି ବୋଲ ଧ୍ୱନୀରେ ପୀଠ ପ୍ରକମ୍ପିତ ହୋଇଛି । ମନ୍ଦିର ଚାରି ପାଖରେ ସହସ୍ରାଧିକ ମହିଳା ଶୈବଭକ୍ତ ମନସ୍କାମନା ନିମନ୍ତେ ୧୨ ଘଣ୍ଟା ନିର୍ଜଳା ଉପବାସ ରହି କେବଳ ମହାଦେବଙ୍କ ପଞ୍ଚାମୃତ ପାନ କରି ଜୀଉଙ୍କୁ ଆରାଧନା କରି ଭଗବାନଙ୍କ ଠାରେ କଚ୍ଛ ସାଧନା କରିବା ଅପୂବ ଭକ୍ତି ଭାବନା ନଜରକୁ ଆସିଛି ।
ଅପରପକ୍ଷରେ ଅପରାହ୍ନରେ ହୁଗୁଳି ଗ୍ରାମ ନିକଟସ୍ଥ ଭଟ୍ଟପୁର ଗ୍ରାମର ମାଳାକାର ଘରେ ‘ମା’ କାମିନୀ’କୁ ଚନ୍ଦନେଶ୍ୱର ମହାଦେବ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଜୀଉଙ୍କ ଆଜ୍ଞାମାଳ ନେଇ ପାଟଭକ୍ତ ହରିଶ ଚନ୍ଦ୍ର ସାହୁ, ଦେଉଳିଆ ଅଜିତ୍ ପାତ୍ରଙ୍କ ସହ ୧୧ଜଣ ଶ୍ରୀବେକିଡ଼ା, ମୌରସୀ ତପନ ପଣ୍ଡା, ଉପ-ମୌରସୀ ବୁଦ୍ଧଦେବ ପଣ୍ଡା, ଟ୍ରଷ୍ଟ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ଏବଂ ସେବାୟତମାନେ ମା’ କାମିନୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରି କନ୍ୟା ସ୍ୱୀକୃତି କାର୍ଯ୍ୟ ସମାପନ କରି ସନ୍ଧ୍ୟାରେ ମନ୍ଦିର ବିଜେ କରିଛନ୍ତି । ପ୍ରସିଦ୍ଧ ଚଡ଼କ ମେଳା ନିମନ୍ତେ ଜଳେଶ୍ୱର ଚନ୍ଦନେଶ୍ୱର ରାସ୍ତା ନଗୁଆଁ ଛକ ଠାରେ ପୋଲିସ ଦ୍ୱାରା ଯାନବାହାନ ନିୟନ୍ତ୍ରଣ କରାଯାଉଛି । କଡ଼ା ନିରାପତ୍ତା ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଗ୍ରାମର ଭାଗ୍ୟଧର ମଣ୍ଡଳ ସହିତ ୨୦ ଜଣ ମହିଳାପୁରୁଷ ଚନ୍ଦନେଶ୍ୱର ମହାଦେବଙ୍କ ଠାରେ ୧୮ ବର୍ଷ ଧରି ଜୀଉଙ୍କ ପୀଠକୁ ମନସ୍କାମନା ପାଇଁ ଉପବୀତ ଧାରଣ କରିଆସୁଛନ୍ତି ବୋଲି କହିବା ସହିତ ଜଗତ୍ସିଂହପୁର ଜିଲା ଏରସମା ବ୍ଲକ ଭୂଆଁପାଳ ଗ୍ରାମର ସୁଲୋଚନା ମଣ୍ଡଳ, ସାରଥୀ ଦାସ, ବସୁମତି ପାତ୍ର ପ୍ରମୁଖ ୧୦ ଜଣ ଶ୍ରଦ୍ଧାଳୁ ଜୀଉଙ୍କ ପୀଠକୁ ଭକ୍ତି ଭାବନା ନେଇ ଛୁଟି ଆସିଛନ୍ତି ବୋଲି ପ୍ରକାଶ କରିବା ସହିତ ୧୯୧୯ ମହାବାତ୍ୟାରେ ଉଜୁଡ଼ି ଯାଇଥିବା ସଂସାର ଆଉ କେବେ ଏପରି ଭୟଙ୍କର ମହାବାତ୍ୟା ଓଡ଼ିଶାକୁ ନ ହେଉ ବୋଲି ଆଶୁତୋଷଙ୍କୁ ଆରାଧନା କରିବା ନିମନ୍ତେ ଚନ୍ଦନେଶ୍ୱର ପୀଠକୁ ଛୁଟି ଆସିଛନ୍ତି ବୋଲି ପ୍ରକାଶ କରିଛନ୍ତି ।
