ମିଛ ଖବର ଦେଖାଇବା ପଡ଼ିଲା ମହଙ୍ଗା, ୬ ୟୁଟ୍ୟୁବ ଚ୍ୟାନେଲ୍ ବ୍ୟାନ୍ କଲେ ସରକାର
ନୂଆଦିଲ୍ଲୀ: ୬ ୟୁଟ୍ୟୁବ ଚ୍ୟାନେଲ୍ ଉପରେ କାର୍ଯ୍ୟାନୁଷ୍ଠାନ। ଚ୍ୟାନେଲ୍ ଗୁଡ଼ିକୁ ବ୍ୟାନ୍ କଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ଏହି ଚ୍ୟାନେଲ୍ ଗୁଡ଼ିକ ଉଦ୍ଦେଶ୍ୟପ୍ରଣୋଦିତ ଭାବରେ ମିଛ ଖବର ଦେଖାଉଥିବା ମନ୍ତ୍ରାଳୟ ଅଭିଯୋଗ କରିଛି।
ମିଥ୍ୟା ତଥା ବିଭ୍ରାନ୍ତିକର ଖବର ପ୍ରସାରଣ କରୁଥିବା ୬ଟି ୟୁଟ୍ୟୁବ ଚ୍ୟାନେଲର ନାମ ସେୟାର କରିଛନ୍ତି କେନ୍ଦ୍ର । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବିର ଫ୍ୟାକ୍ଟ ଚେକ୍ ଟିମ୍ ଏହି ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକର ପର୍ଦ୍ଦାଫାସ୍ କରିଛି । ଏହି ଚ୍ୟାନେଲଗୁଡ଼ିକ ହେଉଛି – ନେସନ ଟିଭି, ସମ୍ୱାଦ ଟିଭି, ସରୋକାର ଭାରତ, ନେସନ୍ ୨୪, ସ୍ବର୍ଣ୍ଣିମ ଭାରତ ଏବଂ ସମ୍ୱାଦ ସମାଚାର । ଏନେଇ ପିଆଇବି ପକ୍ଷରୁ ସିରିଜ୍ ଟ୍ୱିଟ୍ କରି ୟୁଟ୍ୟୁବ ଚ୍ୟାନେଲ୍ଗୁଡ଼ିକ ବିଷୟରେ ସୂଚନା ଦିଆଯାଇଛି।
ଏହି ୬ଟି ୟୁଟ୍ୟୁବ ଚ୍ୟାନେଲର ୨୦ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଏହାଛଡ଼ା ଏହି ୬ ଚ୍ୟାନେଲ ଗୁଡ଼ିକର ଭିଡିଓଗୁଡିକ ୫୧ କୋଟିରୁ ଅଧିକ ଥର ଦେଖାଯାଇଛି । ପିଆଇବି ସେମାନଙ୍କ ନାମ ସାର୍ବଜନୀନ କରିବା ପରେ ଏହି ଚ୍ୟାନେଲଗୁଡିକ ମଧ୍ୟରୁ କେତେକ ସେମାନଙ୍କ ନାମ ପରିବର୍ତ୍ତନ କରିଦେଇଥିବା ଜଣାପଡ଼ିଛି । ଏହି ଚ୍ୟାନେଲଗୁଡିକର ଭିଡିଓରେ ଇଭିଏମ୍ ଉପରେ ବ୍ୟାନ୍ ନେଇ ମିଥ୍ୟା ଖବର, ରାଷ୍ଟ୍ରପତି ଏବଂ ପ୍ରଧାନ ବିଚାରପତିଙ୍କ ସମେତ ସରକାରୀ ପଦବୀରେ ଅବସ୍ଥାପିତ ବରିଷ୍ଠ ଅଧିକାରୀଙ୍କ ନାମରେ ମିଛ ଖବର ପ୍ରସାରଣ କରାଯାଇଥିଲା।
