ବାତ୍ୟା ‘ୟାସ’ ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ରୀୟ ଟିମ୍ର କେନ୍ଦ୍ରାପଡା ଗସ୍ତ
ଭୁବନେଶ୍ୱର : ବାତ୍ୟା ‘ୟାସ’ ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ମଙ୍ଗଳବାର କେନ୍ଦ୍ରୀୟ ଟିମ କେନ୍ଦ୍ରାପଡା ପରିଦର୍ଶନ କରିବେ। କେନ୍ଦ୍ରାପଡା ଜିଲାର ସର୍ବାଧିକ ବାତ୍ୟା ପ୍ରଭାବିତ ରାଜନଗର ଓ ରାଜକନିକା ବ୍ଳକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିାପଇଁ ମଙ୍ଗଳବାର ଚାନ୍ଦବାଲିରୁ ବାହାରି ରାଜନଗରର ପହଞ୍ଚିବେ କେନ୍ଦ୍ରୀୟ ଟିମ୍ । ବାତ୍ୟା ୟସରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜିଲା ପ୍ରଶାସନ ଭିଡ଼ିଓ କ୍ଲିପ ଜରିଆରେ ଟିମକୁ ଅବଗତ କରିବ। ତେବେ ଜିଲ୍ଲାରେ ବିଭିନ୍ନ ନଦୀବନ୍ଧ ବାତ୍ୟା ସମୟରେ ହୋଇଥିବା ଲଗାଣ ବର୍ଷା ଯୋଗୁ ପ୍ରଭାବିତ ହୋଇଥିବା ଜିଲ୍ଲାପାଳ ଅମୃତ ୠତୁରାଜ ସୂଚନା ଦେଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଜନସଂଖ୍ୟା ପ୍ରାୟ ୧୫ ଲକ୍ଷ ୨୦ ହଜାର । ତେବେ ୟାସ ବାତ୍ୟା ରେ ୭୯୯ ଗୋଟି କଚ୍ଚା ଘର ଭାଙ୍ଗି ଯାଇଥିବା ବେଳେ ଖରାଦିନିଆ ପନିପରିବା ଓ ଫସଲ ବିଶେଷ ଭାବେ ନଷ୍ଟ ହୋଇଛି।
ସୂଚନା ଯେ, ସୋମବାର ଭଦ୍ରକ ଓ ବାଲେଶ୍ୱର ଜିଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର କୃଷି ମନ୍ତ୍ରାଳୟର ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଅର୍ଥ ମନ୍ତ୍ରାଳୟର ସହନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ, ରାସ୍ତା ଓ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାଶ୍ୱତ ମହାପାତ୍ର ଭଦ୍ରକ ଗସ୍ତରେ ଆସିଥିବାବେଳେ ଅନ୍ୟ ଏକ ଟିମ୍ ରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏସ୍ ସିଂହ ବର୍ଣ୍ଣୱାଲଙ୍କ ନେତୃତ୍ୱରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ କୈଳାସ କୁମାର, ଶକ୍ତି ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଶିଶିର ପ୍ରଧାନ ଓ ମତ୍ସ୍ୟସମ୍ପଦ ବିଭାଗର ଟେକ୍ନିକାଲ ଅଧିକାରୀ ଦିଗାମ୍ବର ସ୍ୱାଇଁ ବାଲେଶ୍ୱର ଜିଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।
