କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାଏଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି
ଭୁବନେଶ୍ୱର : ବରିଷ୍ଠ ପୋଲିସ ଅଧିକାରୀ ତଥା କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏଙ୍କୁ ବଦଳି । ବ୍ରିଜେଶଙ୍କୁ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ କାର୍ଯ୍ୟରତ ଥିଲେ ବ୍ରିଜେଶ ରାୟ। ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ। ଅଭିଯୋଗ ପରେ ତାଙ୍କର ବଦଳି କରାଯାଇଛି।
ଅନୁଗୋଳରେ କାର୍ଯ୍ୟରତ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ଟ୍ରେନ ଆଗରେ ଜୀବନ ହାରିବାକୁ ଉଦ୍ୟମ କରି ଦୁଇ ଗୋଡ଼ ହରାଇଛନ୍ତି । ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିର୍ଯାତନା ଅଭିଯୋଗ ନେଇ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଂକୁ ସୈରିଦ୍ରୀ ସାହୁ ଲିଖିତ ଭାବେ ଜଣାଇଥିଲେ ।
ସୈରିଦ୍ରୀ ଅଭିଯୋଗ କରିଛନ୍ତି, ସାତ ମାସ ତଳେ ଡିଆଇଜି ବ୍ରିଜେଶ ରାଏଙ୍କ ଘରୋଇ କାମରେ ତାଂକୁ ନିୟୋଜିତ କରାଯାଇଥିଲା । କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଂକୁ ନିର୍ଯାତନା ଦେଉଥିଲେ । ଚାକିରି ନେଇଯିବାକୁ ଧମକ ଦେଉଥିଲେ।
ଅସହ୍ୟ ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ସୈରିଦ୍ରୀ। ଟ୍ରେନ ଲାଇନରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବି ବଞ୍ଚିଯାଇଥିଲେ। କିନ୍ତୁ ସବୁ ଦିନ ପାଇଁ ଦୁଇ ଗୋଡ଼ ହରାଇଛନ୍ତି । ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ନିବେଦନ କରିଛନ୍ତି ସୈରିଦ୍ରୀ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଆଇଜି ବ୍ରିଜେଶ ରାୟ।
