ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ବିୟୋଗ
ଭୁବନେଶ୍ୱର : ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ବିୟୋଗରେ ଓଡ଼ିଶା ନାଗରିକ ମହାମଞ୍ଚ ଓ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷ।। ଅଭିଯାନ ପକ୍ଷରୁ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ପୁରୀ ଜିଲ୍ଳା ଡେଲାଙ୍ଗ ଶ୍ରୀପୁରୁଷୋତ୍ତମପୁରର ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର । ପିଲାଟି ଦିନରୁ ମହାତ୍ମା ଗାନ୍ଧୀଙ୍କ ମାର୍ଗଦର୍ଶନରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୩୪ ମସିହାରେ ଗାନ୍ଧୀଙ୍କ ଓଡ଼ିଶା ଆଗମନ ବେଳେ ମାତ୍ର ୯ ବର୍ଷ ବୟସରେ ସୁଲକ୍ଷଣା ତାଙ୍କ କକେଇ ଶ୍ୱଶୁର ଭଗବାନ ମିଶ୍ରଙ୍କ ସହ ଭଦ୍ରକ ଯାଇ ଗାନ୍ଧୀଙ୍କୁ ଭେଟିଥିଲେ । ଗାନ୍ଧିଜୀଙ୍କ ସହ ସାମାନ୍ୟ ବାର୍ତ୍ତାଳାପ ପରେ ଗରିବଙ୍କ ଖାଇବା ପାଇଁ ନିଜେ ପିନ୍ଧିଥିବା ସାଢ଼େ ୪ ଭରିର ଅଳଙ୍କାର ଗାନ୍ଧୀଙ୍କୁ ପ୍ରଦାନ କରି ଇଂରେଜଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ । ଗାଁ ଗାଁରେ “ବିଦେଶୀ ହଟାଅ, ସ୍ୱଦେଶୀ ବ୍ୟବହାର କର” ବାର୍ତ୍ତାକୁ ନେଇ ଚରଖା ଚଳାଇ ସୂତା ଉତ୍ପାଦନ ପାଇଁ ଉଦ୍ୟମ କରିଥିଲେ । ଏପରିକି ୧୯୩୮ରେ ଗାନ୍ଧୀ ଡେଲାଙ୍ଗର ବେରବୋଇ ଆସିଥିବା ବେଳେ ତାଙ୍କୁ ସାକ୍ଷାତ କରିଥିଲେ ଏବଂ “ଯେପର୍ଯ୍ୟନ୍ତ ଭାରତକୁ ସ୍ୱାଧୀନତା ମିଳିନାହିଁ, ଲଢ଼େଇ ଜାରି ରହିବ” ଆହ୍ୱାନକୁ ସ୍ୱୀକାର କରି ସ୍ୱାମୀ ହରିହର ମହାପାତ୍ରଙ୍କ ସହ ମିଶି ସ୍ୱାଧୀନତା ସଂଗ୍ରାମକୁ ଆଗେଇ ନେଇଥିଲେ । ସ୍ୱାମୀ ହରିହର ଜେଲ ଯାଇଥିଲେ ଏବଂ ସୁଲକ୍ଷଣା ଗୃହବନ୍ଦୀ ଭାବରେ ୨ ମାସ କଟାଇଥିଲେ । ଜୀବନର ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସେ ମନେ ପକାନ୍ତି ୧୯୪୭ ମସିହାରେ ଭାରତ ଇଂରେଜ କବଳରୁ ମୁକ୍ତ ବେଳେ କିଭଳି ଖୁସିରେ ନାଚି ଉଠିଥିଲେ ।
