ବାଲେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟରେ “ଓଡ଼ିଆ ଭାଷା ଦିବସ’ ପାଳନ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଭାଷା ଓ ସାହିତ୍ୟ ବିଭାଗର ସମ୍ମିଳନୀ କକ୍ଷରେ “ଓଡ଼ିଆ ଭାଷା ଦିବସ’ ପାଳନ କରାଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ୱ କରି ବର୍ତ୍ତମାନର ଯୁବପୀଢ଼ୀଙ୍କ ମଧ୍ୟରେ ମାତୃଭାଷା ତଥା ପରିଲିକ୍ଷିତ ଓଡ଼ିଆ ଭାଷାର ବ୍ୟବହାରିକ ବ୍ୟତିକ୍ରମ ଅଭ୍ୟାସକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ବିଶେଷ କରି ଶୁଦ୍ଧ ଓଡ଼ିଆ ଭାଷାର କଥନ ଓ ଲିଖନକୁ ମାର୍ଜିତ କରିବାକୁ ମନୋବୃତ୍ତି ରଖିବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ । ଏଥିସହ ବିଭାଗ ତରଫରୁ ଛାତ୍ରୀଛାତ୍ରଙ୍କ ମାଧ୍ୟମରେ ଏହାର ଅଭାବ ପରିଲକ୍ଷିତର କାରଣ ଏକ ସର୍ବେକ୍ଷଣ ମାଧ୍ୟମରେ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଓଡ଼ିଆ ପ୍ରାଧ୍ୟାପକ ପ୍ରଫେସର ଡ. ମଥୁରାନାଥ ହୋତା ଯୋଗଦେଇ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଉତ୍ଥାନ ସମ୍ପର୍କିତ ତଥ୍ୟ ପ୍ରଦାନ ସହ ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାର କଥିତ, ଲିଖିତ ଓ ସାହିତ୍ୟିକ ରୂପ ପ୍ରତି ଗବେଷଣାତ୍ମକ ପ୍ରୟାସ ଅନ୍ୟନ୍ତ ଆବଶ୍ୟକ ରହିଛି । ଓଡ଼ିଆ ଭାଷା ସହ ଓଡ଼ିଆ ଲିପିର ପ୍ରାଚୀନ ତତ୍ତ୍ୱ ଉଦ୍ଧାର ଓ ବିକାଶର ଲକ୍ଷ୍ୟ ରହିବା ଉଚିତ୍ । ଓଡ଼ିଆ ଭାଷା ଏକାଧାରରେ ସାଂସ୍କୃତିକ, ସାମାଜିକ ଓ ଐତିହାସିକ ମୂଲ୍ୟବୋଧ ଭିତ୍ତିକ ଏକ ସମନ୍ୱୟୀ ଲକ୍ଷଣଯୁକ୍ତ ଭାଷା । ଏହି ଅବସରର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ଦେବାଶିଷ ପାତ୍ର ଛାତ୍ରୀଛାତ୍ରଙ୍କୁ ଗବେଷଣାତ୍ମକ ମନୋଭାବ ପୋଷଣ ସହ ଭାଷାର ଯତ୍ନ ଓ ବିକଶିତ ଦିଗ ପ୍ରତି ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଭାଷା ଓ ସାହିତ୍ୟ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରୀଛାତ୍ର ଯୋଗଦେଇଥିଲେ । ବିଭାଗ ମୁଖ୍ୟ ପ୍ରଫେସର ଡ. ଦେବାଶିଷ ପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ସହକାରୀ ଅଧ୍ୟାପକ ପ୍ରହ୍ଲାଦ ଖିଲ ଧନ୍ୟବାଦ ଅର୍ପଣ କରିଥିଲେ ।
