ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ : ବାଲେଶ୍ୱରର ୪ ବୀର ଯବାନ ହେବେ ସମ୍ମାନିତ
ବାଲେଶ୍ୱର : ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ଅଭୂତପୂର୍ବ ବିଜୟକୁ ସ୍ମରଣୀୟ କରିବା ପାଇଁ ଚଳିତ ବର୍ଷ ସମଗ୍ର ଦେଶରେ ପାଳନ ହେଉଛି ସ୍ୱର୍ଣ୍ଣିମ ବିଜୟ ବର୍ଷ । ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହିତ ଏକ ସ୍ୱାଧୀନ ଦେଶ ଭାବେ ବାଂଲାଦେଶ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା । ଏହି ଯୁଦ୍ଧରେ ସାମିଲ ରାଜ୍ୟର ବୀର ଯବାନମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ଏକ ବିଜୟ ମଶାଲ ଶୋଭାଯାତ୍ରା ଦେଶର ବିଭିନ୍ନ ରାଜ୍ୟ ପରିଭ୍ରମଣ କରୁଥିବା ବେଳେ ଗତ ଅକ୍ଟୋବର ୨୦ ତାରିଖରୁ ଏହା ଓଡ଼ିଶାର ବିଭିନ୍ନ ଜିଲା ପରିକ୍ରମା ଆରମ୍ଭ କରିଛି । ନଭେମ୍ବର ୭ତାରିଖ ପର୍ଯ୍ୟନ୍ତ ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାତ୍ରା କରିବ । ସେହିପରି ଭୁବନେଶ୍ୱର ସ୍ଥିତ ରାଜଭବନରେ ଅକ୍ଟୋବର ୩୦ତାରିଖ ସାଢ଼େ ୪ଟା ସମୟରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୯୭୧ ଯୁଦ୍ଧରେ ସାମିଲ ଓଡ଼ିଶାର ବୀର ଯୋଦ୍ଧାମାନେ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବାକୁ ଥିବା ବେଳେ ଅକ୍ଟୋବର ୩୧ତାରିଖ ଦିନ ୬ଟା ସମୟରେ ସେମାନେ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ବୀର ଯବାନମାନଙ୍କୁ ସମ୍ମାନିତ କରାଯିବ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶୁକ୍ରବାର ବାଲେଶ୍ୱର ଜିଲାର ୪ ବୀର ଯବାନ ଭୁବନେଶ୍ୱର ଯାତ୍ରା କରିଛନ୍ତି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ଭୁବନେଶ୍ୱର ଯିବା ଆସିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡ଼ି ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଏହି ୪ ବୀର ଯବାନ ହେଲେ ସହଦେବଖୁଣ୍ଟା ଅଞ୍ଚଳର ଅବସରପ୍ରାପ୍ତ ମେଜର ଜେନେରାଲ(ଆର୍ମି) ଆର୍କେ ସାହୁ, ନୀଳଗିରି ଶ୍ୟାମସୁନ୍ଦରପୁର ଅଞ୍ଚଳର ଅବସରପ୍ରାପ୍ତ ହାବିଲଦାର ଉମାକାନ୍ତ ମଲ୍ଲିକ, ଦରଖୁଳି ଅଞ୍ଚଳର ଅବସରପ୍ରାପ୍ତ ଆର୍ମି ନାୟକ ଭାଗିରଥି ପଣ୍ଡା ଓ ମାନସିଂବଜାର ଅଞ୍ଚଳର ଅବସରପ୍ରାପ୍ତ ଏୟାରଫୋର୍ସର ୱାରେଣ୍ଟ ଅଫିସର ଅଶ୍ୱିନୀ କୁମାର ବର୍ଦ୍ଧନ । ଶୁକ୍ରବାର ଅପରାହ୍ନ ୨ଟା ସମୟରେ ସେମାନେ ଭୁବନେଶ୍ୱର ଯାତ୍ରା କରିଥିବା ବେଳେ ଡେପୁଟୀ କଲେକ୍ଟର ଶରତ କୁମାର ଗିରି ଓ ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ବୀର ଯବାନମାନଙ୍କୁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

